ଲୋଭରୁ ମୃତ୍ୟୁ
ଲୋଭରୁ ମୃତ୍ୟୁ
ଯାହା ଦେଇଛନ୍ତି ଇଶ୍ୱର ତୁମକୁ
ସେତିକିରେ ଖୁସି ହୁଅ
କ୍ଷଣସ୍ଥାୟୀ ଦ୍ରବ୍ୟେ ଏମିତି କାହିଁକି
ଅଯଥା ମନ ବଳାଅ ।।
ଧନ ଦଉଲତ ନୁହେଁ ଚିରସ୍ଥାୟୀ
ନଯିବ ମଲା ସମୟେ
ମୃତ୍ୟୁ କାଳେ ବାପ ଏକାନ୍ତ ଗମନ
ଇତିହାସ ଯାହା କହେ ।।
ଲୋକଟିଏ ଥିଲା ଭାରି ଅଭିମାନୀ
ଧନେ ଏକା ତାର ମନ
ଧନ ଦଉଲତ ପାଇବାର ଆସେ
ନିତି ସେ ଦେଖେ ସପନ ।।
ସପନକୁ ସତ କରିବା ପାଇଁ ସେ
ପରିଶ୍ରମ ନିତି କରେ
ନ ଖାଇ ନ ପିଇ ଧନ ଧନ ହୋଇ
ଭୋକରେ ପେଟକୁ ମାରେ ।।
ଏମିତିକା ଦିନେ ସମୟ ଆସିଲା
ହେଲା ସିଏ ପୁଞ୍ଜିପତି
ଅଜସ୍ର ସମ୍ପତ୍ତି ପାଖରେ ପାଇଣ
ବଦଳିଗଲା ତା ଗତି ।।
ଆହୁରି ସମ୍ପତ୍ତି ଉପାର୍ଜନ ଆଶେ
କୁପନ୍ଥା ନେଲା ଆଦରି
ଆଖି ପିଛୁଳାକେ ସବୁ ହରାଇଲା
ଉଡିଗଲା ସୁଖ ଶିରୀ ।।
ଲୋଭ କରି ଯେଉଁ ଟଙ୍କା ରଖିଥିଲା
ଚୋର ନେଲେ ସବୁ ଲୁଟି
ସେଇ ଲୋଭ ପାଇଁ ଚୋରଙ୍କ ହାତରେ
କଟିଗଲା ତାର ତଣ୍ଟି ।।
ନ ଖାଇ ନ ପିଇ ସଞ୍ଚିଥିଲା ଯାହା
ନିମିଷକେ ସରିଗଲା
ଅତିଶୟ ଲୋଭ ତା ପାଇଁ କେବଳ
ମୃତ୍ୟୁର କାରଣ ହେଲା ।।