ଲେଖନୀରୁ ପଦେ
ଲେଖନୀରୁ ପଦେ
ସାହିତ୍ୟ ସାଧନା ଜୀବନରେ ପଣ
ଚଉଦିଗ ନୀତି ନେଇ
ତଥାପି କାହିଁକି ପାରିଲିନି ଚିହ୍ନି
ଦୁନିଆକୁ ଥରେ ଭାଇ ।
ମା'ର ମମତା ବୁଝାଇ ଥିଲି ମୁଁ
ଭିଜା ଆଖି କୋହ ଧରି
ପୁଣି ଶ୍ରମିକର ସ୍ୱେଦ ବୁନ୍ଦା କଷ୍ଟ
ଲେଖନୀରେ ଥିଲି ପାରି ।
ତଥାପି କାହିଁକି ଉଡ଼ି ଗଲା ଲେଖା
ବିନା ପବନରେ ଆଜି
ବାହ୍ୟ ଆଡ଼ମ୍ବରେ ମଣିଷ ପଣିଆ
ସତେ କିବା ଗଲା ହଜି ।
ଲେଖନୀ ଚଳିଲା ନିଶା ନିବାରଣେ
ମଦ୍ୟପ କହିଲେ ମାର
କବୀଙ୍କ ଭାବକୁ କିଏ ବା ମାନିବ
କରୁଥାନ୍ତି ତିରସ୍କାର ।
ଉତ୍ସୃଖଳ ଜନେ ଲୋଲୁପ ନୟନେ
ଯେବେ ଦେଲେ ନୀଚ୍ଚ ଦୃଷ୍ଟି
କବୀର ଲେଖନୀ ବଢାଏ ଧମନୀ
ତଥାପି ଖାଏ ସେ ମୁଷ୍ଟି ।
ସତ୍ୟ ଆଲୋକର ଅନ୍ୱେଷଣ ପଡେ
କପଟର ପାଦ ତଳେ
ମୁଖ ଖୋଲି ଦେଲେ ଯେହ୍ନେ ବହ୍ନି ଦହେ
ସ୍ଵାର୍ଥପର ଦସ୍ୟୁ ଦଳେ ।
ଶାନ୍ତି ବାର୍ତ୍ତା ବାଢି ଯାଉ ମୋ ଜୀବନ
ନହେଉ ସେ ବାସ୍ନାଭରା
ତଥାପି ମୋ ପ୍ରାଣ ସହଯୋଗେ ଥିବ
ହୁଏ ପଛେ ଦିଗହରା ।