- ଲାଲ୍ ବାହାଦୁର
- ଲାଲ୍ ବାହାଦୁର
ପିଲାଟି ସେଦିନେ ପଢିବା ପାଇଁ
ବାହାରିଲା ଘରୁ ବସ୍ତାନୀ ନେଇ
ନଈ ଆରପାଖେ ଇସ୍କୁଲୁ ତା'ର
ଯିବା ପାଇଁ ବାଟ ଅନେକ ଦୂର
ହୁଏ ଉଛୁର,
କେମିତି ହୋଇବ ନଦୀ ସେପାର ।
ପାଖରେ ନଥିଲା ପଇସା ତା'ର
କେମିତି ହୋଇବ ନଦୀ ସେପାର
ନାଉରିଆ ଭାଇ ଜଗିଛି ଘାଟ
ପଇସା ନଦେଲେ ଛାଡ଼ୁନି ବାଟ
ଗରିବ ପୁଅ,
ପାଠ ପଢି ଯିବ କେମିତି କୁହ ।
ଜୁଟିଲା ମୁଣ୍ଡକୁ ଗୋଟିଏ ବୁଦ୍ଧି
ଖୋଲି ଜାମା ପଟା ପଡିଲା କୁଦି
ବହି ବସ୍ତାନୀକୁ ମୁଣ୍ଡରେ ଲଦି
ପହଁରି ଗଲାସେ ଗଭୀର ନଦୀ
ହୋଇଲା ପାରି,
ଧାଇଁଲା ଇସ୍କୁଲୁ ବସ୍ତାନୀ ଧରି ।
ଦିନକର କଥା ପିଲାଟି ସେହି
ସାଥି ମେଳେ ଗଲା ପାଚିରି ଡେଇଁ
ଫୁଲ ତୋଳୁ ଥିଲା ଧଇଲା ମାଳି
କାନ ମୋଡି ଦେଇ କରିଲା ଗାଳି
ନୁଆଇଁ ମୁଣ୍ଡ,
ସହି ଗଲା ସବୁ ନଖୋଲି ତୁଣ୍ଡ ।
ଦିନେ ବଡ ହେଲା ସେହି ପିଲାଟି
ଘାରିଲ ତା'ମନେ ଦେଶ ଚିନ୍ତାଟି
କେମିତି ମୋଦେଶ ହେବ ସ୍ୱାଧୀନ
ଘୁଞ୍ଚିବ ଦେଶରୁ ଦୁଃଖ ଦୁର୍ଦ୍ଦିନ
ଛାଡିଲା ପାଠ,
ଧରିଲା ଗାନ୍ଧିଙ୍କ ଅହିଂସା ବାଟ ।
ବାପ ଛେଉଣ୍ଡ ସେ ଗରିବ ପିଲା
ପ୍ରଧାନ ମନ୍ତ୍ରୀ ସେ ଦେଶର ହେଲା
ରଖିଗଲା ଦେଶ ମାନ ମହତ
ଶାନ୍ତିଦୂତ ଭାବେ ବିଶ୍ଵେ ବିଖ୍ୟାତ
ସେହି ପିଲାଟି,
ଲାଲ ବାହାଦୂର ତାର ନାଆଁ ଟି ।
