ଲାବଣ୍ୟବତୀ
ଲାବଣ୍ୟବତୀ
ସୁଗନ୍ଧା ସନ୍ଧ୍ୟା ମୁଁ, ତୁଳସୀ ଚନ୍ଦନ
ସନ୍ଧ୍ୟାଦୀପ ମୋର ସାଥୀ,
ଓଡିଶା ମାଟିର ସଦା ସୁଲକ୍ଷଣୀ
ମିତ ମୋ' ପୁଣ୍ୟ ସଂସ୍କୃତି ।
ପୃଷ୍ଠା ପୃଷ୍ଠା ପ୍ରୀତି ମମତା ପଣତେ
କୋଟି କୋଟି କାହ୍ନା ମା' !
କେତେବେଳେ ରାତ୍ରୀ-ଅଭିସାରିକା ମୁଁ
ଲାବଣ୍ୟବତୀ ମୋ' ନାଁ ।
ରକ୍ତ ଅରୁଣିମା ମୋ' ମଥା ସିନ୍ଦୂର
ରୁଣୁ ଝୁଣୁ ମୋ' ପାଉଁଜି,
ଓଢଣୀରେ ମୋର ଆର୍ଯ୍ୟ ସଂସ୍କୃତିର
ପବିତ୍ରତା ଯାଏ ହଜି ।
ଆଖିରେ ସରମ ଓଠରେ ନରମ
ମିଠା ମିଠା ବଦାନ୍ୟତା,
ସେଇଥିପାଇଁ ମୁଁ ଦୁହିତା ବୋଲାଏ
ଦୁଇ କୁଳ ପାଇଁ ହିତା ।
ଥିଲି ବାପା କୋଳେ ଗେହ୍ଲେଈ ସକାଳ
ଆଜି ମୁଁ ସ୍ତିମିତା ସନ୍ଧ୍ୟା ।
ଆସୁଛି ଆଗକୁ ମୋ' ଶେଷ ଶୟନ
ମାତୃ କୋଳେ ନୁହେଁ ବନ୍ଧା ।
ପତିବ୍ରତା ପଣେ ସଂଭ୍ରମ ଅର୍ପଣେ
ସାଜେ ମୁଁ ଅଙ୍କଶାୟିନୀ,
ଦିବ୍ୟ ଦେବାଳୟ ଶିବ ପାର୍ବତୀଙ୍କ
ପୁଣ୍ୟ ପବିତ୍ରତା ଘେନି ।
ପ୍ରେମ ପାଇଁକି ମୃଣ୍ମୟୀ ପ୍ରଣୟିନୀ
ସନ୍ତାନ ପାଇଁ ଜନନୀ,
ଦୁର୍ବାର ରାକ୍ଷସ ଦୁଷ୍କର୍ମ ସଂହାରେ
ସାଜେ ମହିଷମର୍ଦ୍ଦିନୀ ।
ସହନଶୀଳତା ଅଙ୍ଗ ଆଭୂଷଣ
ସର୍ବଂସହା ମୁଁ ବସୁଧା,
ରୂପରେ ରଙ୍ଗରେ ଚରିତ୍ର ଭିତ୍ତିରେ
ନାରୀ ମୁଁ, ସ୍ୱୟଂ ବିବିଧା ।
ହେ ସଭ୍ୟ ସମାଜ କରନାହିଁ ମୋତେ
ଶ୍ରୀରାମ ସୁବର୍ଣ୍ଣ ସୀତା,
ନାରୀ ମୁଁ,ସାମାନ୍ୟା, ମୁଁ ଅସାଧାରଣା
ମର୍ତ୍ତ୍ୟର ବାଲ୍ୟ ବନିତା ।
କାହା ଅର୍ଦ୍ଧାଙ୍ଗିନୀ, କାହାର ଜନନୀ,
ଭଗ୍ନୀ ବନିତା କଲ୍ୟାଣୀ,
ସୁଲଗ୍ନା ସୁକନ୍ୟା ସମ୍ପୂର୍ଣ୍ଣା ଅପର୍ଣ୍ଣା
ଉତ୍କଳ ମାଟି କାହାଣୀ ।
