କୁଜ୍ଝଟିକା
କୁଜ୍ଝଟିକା
ଚତୁର୍ଦ୍ଦିଗେ ବେଷ୍ଟିତ
କୁଜ୍ଝଟିକା ଆବରଣ
ସୁବିଶାଳ ପାଦପ
ତାର ନିଅନ୍ତି ଶରଣ ।
ଅସ୍ପଷ୍ଟ ଶାଖା ସବୁ
ଲୁକ୍କାୟିତ ରହି
ବକ୍ର ରେଖା ତୁଲ୍ଯ
ସେ ପ୍ରତୀତ ହୁଅଇ ।
ଧୁମ କୁଣ୍ଡଳୀ ସଦୃଶ
ଆବରଣ କୁହୁଡିର
ସବୁଜ ପତ୍ର ମଧ୍ୟ
ଦିଶଇ ପାଣ୍ଡୁର ।
ସଞ୍ଚିତ କାକର ବିନ୍ଦୁ
ପତ୍ର ମଧ୍ୟେ ଥାଇ
ଆକୁଳ ହୁଅନ୍ତି ସେ
ପରିତ୍ରାଣ ପାଇଁ ।
ସମ୍ଭାବ୍ୟ ଗନ୍ତବ୍ୟ ସ୍ଥଳ
ତାଙ୍କ, ଅଟଇ ବସୁଧା
ସୁଖେ ଆଶ୍ରା ନେବେ
ମନେ ନରଖି ଦ୍ବିଧା ।
ଟପ୍ ଟପ୍ ଶବ୍ଦ କରି
ଜଳବିନ୍ଦୁ ପଡୁଅଛି
ବିଳମ୍ବିତ ଲୟ ତାଳ
ପ୍ରାୟେ ମୃଦଙ୍ଗ ବାଜୁଛି ।
ତୃଣପରେ ମୁକ୍ତା ପରି
କ୍ଷୁଦ୍ର ନୀରବିନ୍ଦୁ ସାଜେ
ମାତାଙ୍କ ବସ୍ତ୍ରରେ ତାହା
ସୁକ୍ଷ୍ମ ସୂଚୀକର୍ମ ରଚେ ।
ଐଶ୍ବର୍ଯ୍ଯା ପୃଥିବୀ ଅଦ୍ଯ
ଝୀନବସ୍ତ୍ର ପରିହିତା
ମସ୍ତକରେ ରୌପ୍ଯ
ମୁକୁଟ ସୁଶୋଭିତା ।
ଦେଖି ପ୍ରକୃତିର ଏହି
ଅପରୂପ ବେଶ
ମୋହିତ ହୁଅନ୍ତି
ଜୀବ ଜଗତ ସମସ୍ତ।
