ଗାଁରେ ମୋର ପ୍ରଥମ ରଜ
ଗାଁରେ ମୋର ପ୍ରଥମ ରଜ
ଅର୍ଦ୍ଧ ଶତାବ୍ଦୀ ତଳର କିଛି କଥା
ମୁଁ ଯେ ସହରୀ ଝିଅଟିଏ
ମନେପଡେ ସେଇ ବର୍ଷ ରଜରେ
ଆମ ଗାଁକୁ ସେବେ ଯାଇଥାଏ
ବଡ଼ ବଡ଼ ଗଛ ସହ କିଛି ବୁଦା
ସେଇ ଛାଇ ଛାଇ ଖରାରେ
ମୋ ଭଉଣୀ ମାନେ
ଆମ ଗାଁ ଘର ସାମ୍ନାରେ
ଖେଳୁଥିଲେ ରଜଦୋଳି
ସେଦିନ ଥିଲା ପହିଲି ରଜ
ସାଙ୍ଗ ହେଇ କରୁଥିଲେ
କେତେ ଯେ ମଉଜ ।
ଦେଖୁଥିଲି ଦୁଇଫାଳ ଚିରା
ଖୁବ୍ ଲମ୍ବା ମୋଟ ବାଉଁଶଟିଏ
ମୋର ଦୃଷ୍ଟି ପାଉନଥିବା
ସୁଉଚ୍ଚ ଛନ୍ଦା ଛନ୍ଦି ଗଛଡାଳରୁ
ଲମ୍ବିଆସି ଆଉଏକ ବାଉଁଶ
ସହ ଯୋଡ଼ି ହୋଇ କରୁଛି ଏକ ତ୍ରିଭୁଜ
ଆଉ ଭୂମିଠୁ କେଇଫୁଟ ଉଚ୍ଚରେ
ତ୍ରିଭୁଜର ତଳରେଖା
ସତେ ଅବା ଅଟକି ଯାଇଛି
କାହାର ଆଦେଶରେ
ନା ବାଧ୍ୟ ବାଧକତାରେ
ଠିଆ ପେଙ୍ଗା ଓ ବସା ପେଙ୍ଗାରେ
ରକେଟ୍ ପରି ଉଡିଯାଉଥିବା
ଏ ତ୍ରିଭୁଜ ଟି ଏକ ଦୋଳି
କେତେଜଣ କିଶୋର କିଶୋରୀମାନଙ୍କ
ଦେଖୁଥିଲି ସେଇ ମେଳି
ଖିଲିଖିଲି ହସ କୋଳାହଳ ଓ
ଥଟ୍ଟା ମଜା ଭିତରେ
ନାଲି ଅଳତା ପାଦରେ
ଆଖିରେ କଜଳର ଗାର
ପାଉଡର ମଖାମୁହଁରେ
ଆଉ କଦଳୀ ବେଣିରେ ଗୋଲାପି ଫିତା
ଛାଇ ଛାଇ ଆଲୁଅର ଆମ୍ବତୋଟା
ଦୋଳିରେ ବସି ଚାଲିଗଲି
ଆକାଶ ପାଖକୁ
ଧମ୍ ଧମ୍ ଛାତିଟାକୁ ନେଇ
ସେଇ ଭୟ ଓ ଆନନ୍ଦ ମିଶା
ମୋର ଅନୁଭୂତିକୁ ସାଇତିଛି।
ଅଲିଭା ସ୍ମୃତି ଟିଏ ହୋଇ
ଆଜିବି ତାହା ରହିଛି
ଆଉ ରହିଥିବ ଚିରଦିନ ପାଇଁ ।
