STORYMIRROR

Pratima Satpathy

Children

4  

Pratima Satpathy

Children

କୁଆଁର ପୁନେଇଁ

କୁଆଁର ପୁନେଇଁ

1 min
296


ଆଜି କୁଆଁର ପୁନେଇଁ ଲୋ

     ଫୁଲ ବଉଳ ବେଣୀ

କୁଆଁରୀ କନିଆଁ ପୂଜା କରୁଛନ୍ତି

   ମନରେ ହରଷ ହୋଇ ଗୋ,

        ଫୁଲ ବଉଳ ବେଣୀ ।


ଆକାଶରେ ରୁପା ଜହ୍ନ ଲୋ

        ଫୁଲ ବଉଳ ବେଣୀ

ଆସ ରମା, ଉମା, ସାବିତ୍ରୀ,ସୁଷମା

         କରିବା ଚାନ୍ଦ ପୂଜନ 

    ଗୋ ଫୁଲ ବଉଳବେଣୀ ।


ଜହ୍ନି ଫୁଲ ର ଆଞ୍ଜୁଳି ଲୋ

    ମୋର ସାଙ୍ଗ ସଜନୀ

ସାତଥର କରି ଚାଳକୁ ପକାଇ

   ହୁଳହୁଳି ଦେବା ମିଳି ଗୋ

    ମୋର ସାଙ୍ଗ ସଜନୀ ।


ଚଉଁରା ମୂଳ ସଜାଇ ଲୋ

    ମୋର ସହୀ ସଙ୍ଗାତ

କଇଁ ଫୁଲ ମାଳ ଦେଇ ଣ ଚାନ୍ଦର,

  ମନକୁ ଦେବା ଭୂଲାଇ ଗୋ

    ମୋର ସହୀ ସଙ୍ଗାତ ।


  କଇଁକୁଦେଖିଲେ ଜହ୍ନ ଲୋ

       ମୋର ମନର ମିତ

ଖୁସି ଆନନ୍ଦରେ ବିଭୋର ହୋଇଣ

    ଦେବେ ଆଶିଷ କଲ୍ୟାଣ ଲୋ

     ମୋର ମନର ମିତ ।


ଆଜି ପରା ଲକ୍ଷ୍ମୀ ପୂଜା ଲୋ

     ମୋର ସାଙ୍ଗ ସଜନୀ

ପଦ୍ମ ଫୁଲ ଦେଇ ମାଆଙ୍କୁ ପୁଜିବା

    ତୋଷ ହୋଇବେ ପଦ୍ମଜା

    ମୋର ସାଙ୍ଗ ସଜନୀ ।


ଘରେ, ଘରେ ପିଠା ପଣା ଲୋ

     ଫୁଲ ବଉଳ ବେଣୀ

ନୂଆ ଲୁଗାପଟା, ବନ୍ଧୁ ବାନ୍ଧବ ରେ

     ପୁରିଛି ଘର ଅଗଣା ଲୋ

     ଫୁଲ ବଉଳ ବେଣୀ ।


କୁଆଁର ପୁନେଇଁ ପୁଚି ଲୋ

       ଫୁଲ ବଉଳ ବେଣୀ

ଖେଳୁଥିଲେ ପୂଚି ଆନନ୍ଦିତ ହୋଇ

      ଜଣା ପଡ଼ିବନି ରାତି ଲୋ

     ଫୁଲ ବଉଳ ବେଣୀ ।


ବାଲି ଘରକୁ କରିଣ ଲୋ 

     ମୋର ସାଙ୍ଗ ସଜନୀ

ପୋଖରୀ ପାଣିରେ ଚାନ୍ଦକୁ ଉଭାଇ

    ଆସିବା ଘରେ ଫେରିଣ ଲୋ

    ମୋର ସାଙ୍ଗ ସଜନୀ ।


କାର୍ତ୍ତିକେଶ୍ୱରଙ୍କ ଜନ୍ମ ଲୋ

    ଫୁଲ ବଉଳ ବେଣୀ

ତାଙ୍କ ପରି ବର ମିଳିବା ପାଇଁ କି

   କରିବା ଚାନ୍ଦ ପୂଜନ ଲୋ

      ଫୁଲ ବଉଳ ବେଣୀ ।


ଗାଁ ଦାଣ୍ଡେ ଗୀତ ଗାଇ ଲୋ

      ଫୁଲ ବଉଳ ବେଣୀ

କୁଆଁରୀ ଝିଅ ଯେ ଖୁସିରେ ପାଳନ୍ତି

    ଏହି କୁଆଁର ପୁନେଇଁ ଲୋ

    ଫୁଲ ବଉଳ ବେଣୀ ।



Rate this content
Log in

Similar oriya poem from Children