କଥା ତ ଏତିକି
କଥା ତ ଏତିକି
ସଂସାରର ପଥ ନୁହଁଇ ସଳଖ
ଫୁଲ ଗୋଲାପର ଶେଯ
ଉଠାଣି ଗଡାଣି କେବେ କଣ୍ଟକିତ
ପିଚ୍ଛିଳ ଓ ଅସହଜ ।
ମନୋଇ ପ୍ରିୟା ଗୋ ନକର ଗୁମାନ
ବସ ନାହିଁ ମନ ମାରି
ଚାଲିବା ସୁପଥେ ବିଭୁ ନାମ ସ୍ମରି
ଏକ ହାତ ଅନ୍ୟ ଧରି ।
ଆଶା ନଉକାକୁ ବାହିବା ବିଶ୍ୱାସେ
ଦୁହେଁ ମିଶି କାତ ଧରି
ସହିଯିବା ଯେତେ ଦୁଃଖ ଝଡ଼ ଝଞ୍ଜା
ଛାତିକୁ ପଥର କରି ।
ହେଉ ପ୍ରତିକୂଳ ଶୁଭ ଅନୁକୂଳ
ହୋଇ ଏକ ମନ ପ୍ରାଣ
ଚାଲୁଥିବା ନିତ୍ୟ କର୍ତ୍ତବ୍ୟ ପଥରେ
ସୁସମ୍ବନ୍ଧେ ଅନୁକ୍ଷଣ ।
ତୁମ ବିନା ପ୍ରିୟା ଲାଗେ ନାହିଁ ଭଲ
ଦୁନିଆଁରେ ଆଉ କିଛି
ସାଥେ ଥିଲେ ତୁମେ ଜୀବନ ସହଜ
ଲାଗେ ତୃପ୍ତି ଭାରି ଶାନ୍ତି ।
ସାକ୍ଷୀ ତ ଅଛନ୍ତି ଏଇ ଚନ୍ଦ୍ର ସୂର୍ଯ୍ୟ
ହେଉଅଛି ଦିନରାତି
କଥା ତ ଏତିକି ଇହ ପର କାଳ
ବିତାଇବା ହୋଇ ସାଥି ।
-------

