କ୍ଷମା କର ପ୍ରଭୁ
କ୍ଷମା କର ପ୍ରଭୁ


ତୁମେ ଭକତର ଭକତ ତୁମର
ପୁରାଣେ ଶୁଣେ ତ ଭାବ
କେମିତି ଭାବିବି ତୁମେ ଅଛ ବୋଲି
ପାଉ ନାହିଁ ଅନୁଭବ
ତୁମେ ପରା ନାଥ ଅନାଥର ନାଥ
ପାଷାଣକୁ କଲ ନାରୀ
ଶୁଣି ଗଜ ଡାକ ପୋଛି ଦେଲ ଶୋକ
ସୁଦର୍ଶନ ଚକ୍ର ଧରି ।
କେଉଁ ପୂଣ୍ୟ ବଳେ ସାଲବେଗ ଚଳେ
ଛିଡ଼ା ହୁଏ ନନ୍ଦିଘୋଷ
ତୁମ ପାଦ ତଳେ ଅତଳ ସାଗର
କାହିଁକି ଲିଭେନା ଶୋଷ ।
ଆହେ ଇଛାମୟ ହୁଅ ହେ ଅଭୟ
ନେତ୍ରେ ଭାସେ ଅନ୍ଧକାର
କେଉଁ ପଥେ ଯିବି କହି ଦିଅ ପ୍ରଭୁ
ମନରେ ନଭାବି ପର ।
ଶୁନ୍ୟ ହାତ ପାତି କରୁଛି ମିନତି
ଭରି ଦିଅ ମୋର ମୁଣି
ଧନ ରତ୍ନ ପାଇ ଗରବ ବଢିବ
ଖୋଲି ଦେବ ମୁକ୍ତି ଖଣି ।
ତୁମ ସ୍ଵର୍ଗ ଦ୍ଵାର ହେବ ଅପବିତ୍ର
ପଡିଲେ ପାପିନୀ ପାଦ
ମାଟି ପିଣ୍
ଡ ମୋର ଶେଷ ସୃଷ୍ଟି ହେଉ
ଟାଣି ଦିଅ ପୂର୍ଣ୍ଣଛେଦ ।
ଚରଣେ ଶରଣ ଦେବ ଜନାର୍ଦ୍ଦନ
ମହାବାହୁ ଛାୟା ଢାଙ୍କି
ଶେଷ ଇଛା ପାଇଁ ପ୍ରସାରେ ପଣତ
ନଦେବ ପ୍ରଭୁ ହେ ଫାଙ୍କି ।
ତୁମ ନିରବତା ବାଢି ଅସ୍ଥିରତା
ବେଳ ମୋର ଯାଏ ଗଡି
ଦୁର୍ବଳ ହେଉଛି ଅଙ୍ଗ ପ୍ରତ୍ୟଙ୍ଗ ମୋ
ସତେ ଜୀବ ଯିବ ଛାଡି ।
ଶ୍ରୀକ୍ଷେତ୍ର ଗୋସାଇଁ ଆସ ଥରେ ଉଇଁ
ରତ୍ନସିଂହାସନ ତ୍ୟାଗୀ
ତୁମକୁ ଦେଖି ଏ ପାପ ନେତ୍ର ଦୁଇ
ଚେତନାରେ ଉଠୁ ଜାଗି ।
ଆହେ ଅନ୍ତର୍ଯ୍ୟାମୀ ମନ କଥା ଜାଣି
କରୁ ଥିବ ଦୟା କୃପା
ମୁଁ ଯେ ମୁଢମତି ସନ୍ତାନ ତୁମର
ଦୋଷରେ ନହୁଅ ଖପା ।
ଯେଉଁ ପଥେ ନେବ ପରୀକ୍ଷା ନିମନ୍ତେ
ନିଃସନ୍ଦେହ ଯିବି ମୁହିଁ
ଭୟ ତ୍ରାସ ମୋତେ ଛୁଇଁବ ନାହିଁଟି
ଏ ବିଶ୍ୱାସ ଅଛି ରହି ।