STORYMIRROR

Pranati Jena

Fantasy Others

4  

Pranati Jena

Fantasy Others

କୃଷକଟିଏ ମୁଁ

କୃଷକଟିଏ ମୁଁ

1 min
317


ସବୁଜ ଶ୍ୟାମଳା ସମୃଦ୍ଧି ମେଖଳା

ସୁନ୍ଦର ଧରିତ୍ରୀ ବାଳା,

ସ୍ଥିତପ୍ରଜ୍ଞ କଳା ସଞ୍ଜିବନୀ ମେଳା

ସ୍ପର୍ଶେ ପ୍ରାଣେ ବର୍ଣ୍ଣମାଳା ।


ଫୁଙ୍ଗୁଳା ଛାତିରେ ବିଜୁଳି ବର୍ଷାରେ 

ଗୁଣୁ, ଗୁଣୁ ଗୀତ ସୁରେ,

ସିନ୍ଦୁରାର ତୀରେ ଗୋଧୂଳିର ଧାରେ

ପାଣି, କାଦୁଅ ସାଥିରେ ।


ନାହିଁ ଅଭିମାନ କିବା ଅଭିଯୋଗ

ବର୍ଷା, ଖରା ନିଘା ନାହିଁ,

ମାଟିର ମଣିଷ ନାହିଁ ମୋ ବିରାଗ

ବଞ୍ଚିବା, ବଢିବା ପାଇଁ ।


ମାଟି ମାଆ ର ମୁଁ ସୁଯୋଗ୍ୟ ସନ୍ତାନ

ମାଟିରୁ ଫଳାଏ ସୁନା,

ବଞ୍ଚିବା, ବଢିବା ମୂଲ୍ୟ ଏ ଜୀବନ

କି ସମ୍ଭବ ମୋର ବିନା ।


ସାରା ଜଗତକୁ ଖାଦ୍ୟ ମୁଁ ଯୋଗାଏ

ଦୁଃଖ ମୋ ବୁଝଇ କିଏ ?

ସର୍ବ ପ୍ରାଣରେ ମୁଁ ଅମୃତ ଭରାଏ

ପିଣ୍ଡେ ପ୍ରାଣ ଥିବା ଯାଏ।


ପାଇଛି କେତେ ମୁଁ ହରାଇଛି କେତେ

ହିସାବ ନାହିଁ ମୋ ପାଶେ,

ହରିନିଏ ଭୋକ ଭୋକିଲା ପ୍ରାଣରେ

ମୋ ଭାଗ୍ୟ ଲୁଚାଇ ଦେଶେ।


କୃଷକ ପରାଣ ଯାତନା, ବେଦନା

ରକ୍ତ ପାଣି କରି ଖଟେ,

ନିର୍ବିକାର ଭରା ଏ ଜୀବନ ସାରା

ସାଥି ମୋ କି'ଏ ସଂକଟେ ?


କାହାର କେବେ ମୁଁ ମନେ ପଡେନାହିଁ

କେମିତି ରହିଛି ମୁହିଁ,

ସକଳ ପ୍ରାଣକୁ ଖାଦ୍ୟମୁଁ ଯୋଗାଇ

 ଆତ୍ମତୃପ୍ତି ଲଭେ ରହି ।


ମାଟି, ପାଣି ସାଥେ ସମ୍ପର୍କ ମୋହର

ରକ୍ତପାଣି କରି ମୁହିଁ,

ସବୁଜିମା କ୍ଷେତେ ଫସଲ ସବୁର

ଭୋକିଲା ନ ରହୁ କେହି ।


ଭାବଥରେ ମନେ ହୃଦୟ ଚିନ୍ତନେ

ଅକୁହା ବେଦନା ମୋର,

ମେରୁଦଣ୍ଡ ଯଦି ନିଷ୍ପେସିତ ହୁଏ

ଜୀବକୂଳର କି ନିସ୍ତାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy