କରୋନା ଆତଙ୍କ
କରୋନା ଆତଙ୍କ
ଆସିଗଲା ମାଡ଼ି କରୋନା ବଢି,
ଆଖି ଜିଭ କାଢି ଦାନ୍ତ ରଗଡ଼ି-
ନିଜଲୋକ ଦେଲେ ପ୍ରାଣକୁ ଛାଡ଼ି |
ଦୁଃଖ ଦେଇଗଲା କାହାକୁ କେତେ,
କେମିତି କହିବି ଛାଡ଼ିଲା ମୋତେ,
କୋଡ଼ିଏ ମସିହା ବିପଦ ସତେ |
ଚୀନ ଦେଶର ଭୂତାଣୁ ସେହି,
ଖାଇଲା ମଣିଷ ଗୋଡ଼େଇ ଗୋଡ଼େଇ,
ନାଚିଲା ଦେଶରେ ତାଥେଇ ତାଥେଇ |
ଖେଳିଲା ଆତଙ୍କ ବୋଲିଲା ପଙ୍କ,
କାଶ ଜର ଥଣ୍ଡା ଲାଗିଲା ଛିଙ୍କ |
ବେପାରୀଙ୍କ ଭାଗ୍ୟ ହୋଇଲା ବାଙ୍କ |
ନିଜର ଆତ୍ମୀୟ ସ୍ଵଜନ ଯେତେ,
ଆତଙ୍କିତ ହୋଇ କାନ୍ଦିଲେ କେତେ,
ଘରଲୋକେ ପର ହୋଇଲେ ସତେ !
ଦୁଃଖ ଆସେ ବନ୍ଧୁ ବାନ୍ଧବ ଧରି,
ଭାଇ ମୋର ବୋଉ ଶ୍ରାଦ୍ଧକୁ ସାରି,
ସେଦିନ ରାତିରେ ଗଲେ ସେ ମରି |
ଏଣେ ମୁହିଁ ଏକା ଦୂରରେ ଅଛି,
କରୋନା ଆତଙ୍କେ ସଢି ରହିଛି,
ବିକଳେ ଖାଲି ମୁଁ ଝୁରି ହେଉଛି |
ଘରର ମୁରବି ମୋ ବଡ଼ଭାଇ,
ଚାଲିଗଲେ ମୋତେ କିଛି ନ କହି,
ସେ ଦୁଃଖ କେମିତି ଭୁଲିବି ମୁହିଁ ?
ସେତେବେଳେ ପତ୍ନୀ ଝିଅ ପାଖରେ,
ଛଟପଟ ହେଲେ ବଡ଼ ଦୁଃଖରେ,
ଆଉମାନେ ନିରୂପାୟ ଶୋକରେ |
ଦୁଇମାସ ପରେ ପତ୍ନୀ ବେମାର,
କରୋନା ହେଇଛି ଆସେ ଖବର,
ଦିଲ୍ଲୀରେ କରୋନା ଗତି ପ୍ରଖର |
ଆମେରିକାରେ ତ ରହିଛି ପୁଅ,
ଦିଲ୍ଲୀରେ ପିଲାଙ୍କ ସହିତ ଝିଅ,
ପଚାରିଲେ ମୋତେ କି ହେବ କୁହ ?
ଭୟଙ୍କର ସ୍ଥିତି ସଭିଏଁ ପର,
ଛୁଇଁବାକୁ ଲାଗେ ସଭିଙ୍କୁ ଡର,
ବିକଳେ କାନ୍ଦିଲା ଝିଅଟା ମୋର |
ଆମେରିକାଠାରେ ଓଡ଼ିଆ ଭାଇ,
ପ୍ରାର୍ଥନା କରିଲେ ମିଳିତ ହୋଇ,
ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ଗାଇ |
ଘରୋଇ ଚିକିତ୍ସା ଆଗରୁ ଥିଲା,
କରୋନା କେନ୍ଦ୍ରକୁ ବଦଳି ହେଲା,
ଦିଲ୍ଲୀ ସହରରେ ସବୁଠି ଢିଲା |
ପତ୍ନୀ କହିଦେଲେ ଆସନା କେହି,
କରୋନାରେ କେହି ଛୁଇଁବ ନାହିଁ,
ମରିଲେ ମରିବି ଏକାକୀ ମୁହିଁ |
ଈଶ୍ଵରଙ୍କ ଦୟା ଜୀବନ ନେଇ,
ଫେରିଲେ ଘରକୁ ଯନ୍ତ୍ରଣା ପାଇ,
ଇଷ୍ଟ ବାବାମଣି ନାମକୁ ଧ୍ୟାୟି |
ଭୁଲି ହୁଏନାହିଁ ସେଦିନ କଥା,
ଆଜିଯାଏ ଲାଗି ରହିଛି ବ୍ୟଥା,
ତଥାପି ଛାଡ଼ିନି କରୋନା ଚିନ୍ତା |