କପୋତ ମିତ
କପୋତ ମିତ
କଳ୍ପ ବୃକ୍ଷ ମୂଳେ ବିଶ୍ରାମ ର ବେଳେ
ପ୍ରଚଣ୍ଡ ସେ ଗ୍ରୀଷ୍ମ କାଳେ
ଘର୍ମ ସବୁ ପୋଛି ଦେହ କୁ ଉଲ୍ଲାସି
ବିରାଟ ସେ ବୃକ୍ଷ ତଳେ ।
ବସିଗଲି ମୁହିଁ ବିଷଣ୍ଣ କୁ ନେଇ
ଚତୁର୍ଦ୍ଦିଗେ ବୁଲି ଚାହେଁ
ହିତସ୍ତତ ମୋର କ୍ଲେଶ ର ବିଳାପ
ବିହଙ୍ଗ ସମ୍ମୁଖେ କହେ ।
ଅକୁହା ବେଦନା ରେ ନିବୃତ୍ତ ମୁହିଁ
ପ୍ରକାଶି ଯେ ଦେଲି ଧିମେ
କପୋତ ଦ୍ୱୟ ଚାହିଁ ରହିଥିଲେ
କରୁଣ ହୃଦୟ ମର୍ମେ।
ନିର୍ମମ କାହାଣୀ ନିରନ୍ତର ଥାଏ
ଜୀବନ ର ପ୍ରତି କ୍ଷଣେ
କ୍ଷଣେ କ୍ଷଣେ କ୍ଷତ ପ୍ରତିକ୍ଷଣେ ଭିତ
ଜୀବନ ସରଳ ନୁହଁ।
ଶୁଣ ଗୋ କପୋତ କ୍ଷଣିକ ର ମିତ
ଅକୁହା ଯେ ମୋର ବାର୍ତ୍ତା
ବିଧି ର ଲିଖନ କେ କରିବ ଆନ
ଲେଖିଛି ଯେ ଭାଗ୍ୟ ଦାତା ।
ଜନମ ଲଭିଲି ମାତୃ କୋଳେ ବୋଲି
ଦଇବ ବଇରି ହେଲା
ମାତାକୁ ଯେ ମୋର ମୋ ଠାରୁ ଦୂର
ତାଙ୍କ ପାଶେ ଡାକି ନେଲା।
ପିତା ଙ୍କ ବିଷୟ ନକହିବା ଭଲ
ହେତୁ ଯାକେ ବଡ କଲେ
ଅଜଣା ରାଇଜେ ଛାଡି ଯେ ଆସିଲେ
ପଥ ବାସି କରିଦେଲେ ।
ଅନାଥ ଅବୋଧ ଏ ସତ୍ୟ ଶବଦ
ମୋର ଅଟେ ଦେହ ସୁହା
କେତେ କେତେ ଗାଳି କେତେ ଯେ ଗୋଇଠା
କ୍ଲେଶ ଅଟେ ଦେହ ସୁହା ।
କାତରେ ବଞ୍ଚିଛି ଭାଗ୍ୟ କୁ ଆଦରି
ଭଗବାନ ମୋତେ ସାହା
ଜଣା ନାହିଁ ମୋର କେଉଁ ଜନ୍ମ କର୍ମ
ଦଇବ ପାଞ୍ଚଛି ଆହାଃ ।
କେତେ ଯେ ନିହାର କେତେ ଯେ ବରଷା
ଗ୍ରୀଷ୍ମ ର ପ୍ରଖର ସହେ
ଦିବସେ ପ୍ରଦୋଷେ ରାତ୍ରି ରେ ନିରାଶେ
କ୍ଷୁଧା ଉଦରର ଶୋଏ ।
ଛିଦ୍ର ସେ ବସନ ଛିଦ୍ର ସେ ପାଦପ
କେବେ ଫୁଙ୍ଗୁଳା ରେ ରହେ
ଶ୍ରମ କରି ପୁଣି ଜୀବନ ରେ ମୋର
ସପନ ନଗରେ ରହେ।
ସପନ ନଗର ନୁହଁଇ ଦୁର୍ବଳ
କେହି କେବେ ଭାଙ୍ଗି ଦେବ
ଯେତେ କ୍ଲେଶ ସହି କରିବି ସାକାର
ସପନ ନଅର ହେବ ।
କୁହ ଗୋ କପୋତ ମୋର ଅଟ ମିତ
ଚୁପ୍ତ କାହିଁ ରହିଗଲ
କାହାଣୀ ନୁହଁଇ ବାସ୍ତବତା ପୁଣି
କିମ୍ବା ଆଚମ୍ବିତ ହେଲ ।
ଘୁମୁରି ଗୁମୁରି ଦ୍ୱୟ ମିତ ଆସି
ସ୍ନେହେ ପାଶେ ବସିଗଲେ
ଆଶ୍ୱାସନା ଭାବ ମନରେ ସଞ୍ଚାରି
ବିଦାୟ ଟି ମୋତେ ଦେଲେ ।