କଳ୍ପନା
କଳ୍ପନା
କଳ୍ପନା ଅଟଇ ହାସ୍ୟ ଲାସ୍ୟମୟୀ
ସୁନ୍ଦର ଶବଦ ଟିଏ
କବିର କଳ୍ପନା କଲମ ମୁନରେ
ଭାଷା ଭରି ଦେଇ ଯାଏ ।
କଳ୍ପନା ଛନ୍ଦରେ ଅପ୍ସରୀ ନୃତ୍ୟକୁ
କବି କବିତାରେ ଲେଖେ
ପଢି ଦେଉଥିଲେ ଅପସରୀ ନୃତ୍ୟ
ଆଖି ଆଗେ ନାଚି ଉଠେ ।
କଳ୍ପନାରେ କବି ପହଁରୁ ପହଁରୁ
ଦେଖେ ସମାଜର ଛବି
କୁ ସଂସ୍କାର ଅମା ଅନ୍ଧକାର ବକ୍ଷେ
ଲେଖେ ସଂସ୍କାରର ଛବି ।
କଳ୍ପନା ରେ କବି ବଗିଚା ଗଢଇ
ଫୁଟାଏ ଯେ କେତେ ଫୁଲ
ରଙ୍ଗ ବେରଙ୍ଗର ଫୁଲରେ ଫୁଲରେ
ପ୍ରଜାପତିଙ୍କର ମେଳ ।
କଳ୍ପନାରେ କବି କଲମ ମୁନରେ
ଲେଖଇ ପରୀ କାହାଣୀ
ସେଇ କାହାଣୀ ଯେ କୁନି କୁନି ପ୍ରାଣେ
ଦିଅଇ ଆନନ୍ଦ ଢ଼ାଳି ।
କଳ୍ପନାରେ କବି ମରତେ ରଚଇ
ସରଗ ର ସୁନ୍ଦରତା
କଳ୍ପନା ରେ ସେତ ଆଳ୍ପନା ଆଙ୍କଇ
ବସେ ଆନନ୍ଦର ମେଳା ।
କଳ୍ପନାରେ କବି କଲମ ମୁନରେ
ସପନକୁ ରଙ୍ଗ ଦିଏ
ଆକାଶ ବୁକୁରେ ଭସା ବାଦଲରେ
ଜୀବନ ଜୀଜ୍ଞାସା ଖୋଜେ ।
କବିର କଳ୍ପନା ସାଗର ଢ଼େଉରେ
ଦେଖେ ଜୀବନର ଛନ୍ଦ
ସେ ଢେଉରେ ପୁଣି ଦେଖୁଥାଏ ସିଏ
ଶିଶୁ ଚପଳତା ଢଙ୍ଗ ।
କଳ୍ପନା ସ୍ରୋତରେ ଆଙ୍କି ଦିଏ କବି
ମାଟିରେ ବୈକୁଣ୍ଠ ସ୍ପର୍ଶ
କବିର କଳ୍ପନା ନିରାଶା ମନରେ
ଦିଅଇ ଆଶା ସଙ୍କେତ ।
କଳ୍ପନାରେ କବି ମରୁବାଲି ବୁକେ
ଫୁଟାଏ ଯେ ମାଳତୀ ମଲ୍ଲୀ
ବାସନା ଚହଟେ ପ୍ରାଣରୁ ପ୍ରାଣକୁ
ସଭିଏଁ ଯାଆନ୍ତି ହଜି ।
କବିର କଳ୍ପନା ସପନ ରଚଇ
ଦିଅଇ କେତେ ପ୍ରେରଣା
ଅବକ୍ଷୟୀ ହେଉଥିବା ସମାଜରେ
ଛୁଟେ ସଂସ୍କାର ଭାବନା ।
କବି ର କଳ୍ପନା ଲେଖନୀ ମୁନରେ
ଝରାଏ ଅମୃତ ଝର
ସେ ଅମୃତ ପାନେ ପାଠକ ଅନ୍ତରେ
ବହେ ଶାନ୍ତିର ନିର୍ଝର ।
କଳ୍ପନା ନଥିଲେ କବିର କଲମ
ମୁକ ତ ପାଲଟି ଯାଏ
ଭାଷା ନିର୍ଝରିଣୀ ଶୁଷ୍କ ହୋଇଯାଏ
କବିର କବିତ୍ଵ ହଜେ ।
