STORYMIRROR

Prashantam Bapu

Abstract Inspirational

4  

Prashantam Bapu

Abstract Inspirational

ବାଟ ହିଡ଼

ବାଟ ହିଡ଼

1 min
338


ବିସ୍ତୀର୍ଣ୍ଣ ବିଲମାଳ ଭିତରେ  

ଭାଗ୍ୟକୁ ସେ ଯଦି ମିଳିଯାଏ 

ତ ବଳକା ଯାତ୍ରା ଯେତେକ 

ସହଜ ସୁଗମ ହୋଇଯାଏ 


କାହିଁ କେତେ କାଳୁ 

କେତେ ପୁରୁଷ ତଳୁ

କେତେ ପାଦ ପଡ଼ି ପଡ଼ି 

କେତେ ଯେ ସ୍ତ୍ରୀ ପୁରୁଷ ମିଶି

ସ୍ୱାର୍ଥରୁ ଇଞ୍ଚେ ଇଞ୍ଚେ ଦେଇ 

ଗମଗମ ଝାଳ ବୁହାଇ 

ଚେକା ଚେକା କରି 

ମାଟି ଥୋଇ ଥୋଇ 

ତୋଳିଥିବେ ଏଇମିତି 

କେତେ ନାଁ କେତେ  

ଯାହାର ହିସାବ ରଖିବାକୁ 

କେହି କେବେ ଯଥାର୍ଥ ମଣିନି


ନିଇତି ନିଇତି 

ଚାଷୀ ମୂଲିଆ ମଣିଷର 

ହାଡ଼ୁଆ ନଙ୍ଗଳା ପାଦ 

ତା' ଦେହେ ନପଡ଼ିଲେ 

ଅବହେଳିତା ଅହଲ୍ୟାର 

ଅତୃପ୍ତ ଯୌବନ ଦେହକୁ 

ଅଭୀକ ଇନ୍ଦ୍ର କାବୁ କଲା ଭଳି 

ଘାସ ଚରିଯାଏ ତା ' ଦେହ ସାରା

ଅଭିଶପ୍ତା ପାଷାଣୀ ଅହଲ୍ୟା ପରି 

ଅଲୋଡ଼ା ଅମଡ଼ା ହୋଇ ସେ

ବିସ୍ତୀର୍ଣ୍ଣତାରେ ନିଶ୍ଚିହ୍ନ ହୁଏ 


ସମୟ ସ୍ରୋତରେ ସମୟ ଚାପରେ 

ମଣିଷର ଚାହିଦା ବାଟ ସବୁ ବଦଳେ

କାହିଁ କେତେ କେତେ କୋଣାର୍କ 

ଚାହୁଁ ଚାହୁଁ ଉଜୁଡ଼ି ପଡ଼େ 

ତ ମଉଜାଟିଏର ମାନଚିତ୍ରରେ  

ଅଙ୍କାବଙ୍କା ଅଗଣିତ ରେଖାଙ୍କ ଗହଳିରେ 

ସାମାନ୍ୟ ରେଖାଟିଏ ଯଦି ନଦିଶିଲା

କେଉଁଠି କିଛି କାହିଁକି ଚହଲିବ ?


ହେଲେ ବିସ୍ତୃତ ବିଲମାଳ ମଝିରେ 

ବାଟବଣା ବ୍ୟଗ୍ର ବାଟୋଇଟିଏ 

ଖୋଜି ଖୋଜି ଯେବେ ତାକୁ 

ଅଚାନକ ହାବୁଡ଼େ  

ଥକି ପଢିଥିବା ପାଦ ଦୁଇଟି 

ବୁଝିପାରେ ତା'ର ମହତ୍ତ୍ଵ 


ଛୋଟ ଛୋଟ ସଫଳତା

ମଉଳା ମନକୁ ସତେଜ କରେ 

କାକର ବିନ୍ଦୁରୁ ଭରସା ପାଇ 

ଆଁକରିଥିବା ଫଟାମାଟି ସନ୍ଧିରୁ 

ସଦ୍ୟ ସବୁଜ ପତର ଦୁଇଟି  

ମୁଣ୍ଡ ଟେକି ତତଲା ଆକାଶକୁ 

ସାହାସର ସହ ଚାହିଁଲା ପରି 

ତା' ଦେହେ ସମାଗମ ହେବା କ୍ଷଣି 

ପଥିକର ବ୍ୟଥିତ ଅନ୍ତରରେ 

ପୁଣି ଆଶା ଟିକିଏ କଅଁଳେ 

ସୁପ୍ତ ସ୍ୱପ୍ନ ସତେକି କଡ଼ ଲେଉଟାଏ ...ll






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract