ମୁନା - ମାନସ ପୁତ୍ର
ମୁନା - ମାନସ ପୁତ୍ର
ନିର୍ଜନ ରାତ୍ରିର ତୃତୀୟ ପ୍ରହରେ
ହଟାତ୍ ଶୁଣିଲି....ତୁ ଆସୁଛୁ
ନିଦ୍ରା ଗଲା ଅପସରି
ବ୍ୟସ୍ତ ହେଲି ବ୍ୟାକୁଳିତ ମନେ
ଭାସିଗଲି ଭାବନାର ଉଜାଣି ଢେଉରେ ।
କେତୋଟି ମୁହୂର୍ତ୍ତ ଗଲେ ଅପସରି
ଧରା ହେବ ଆଲୋକିତ,
ପ୍ରଭାତର ସୁନେଲି କିରଣେ
କୋଳାଗ୍ରତ କରିନେବି ତୋତେ
ପ୍ରାଣ ଖୋଲି ଦେଖିନେବ
ମୋ ଛବି, ତୋ ଦେହରେ
ବଂଶଧର, ମୋ କୁଳ ଦାୟାଦ....।
ତୋ ଓଠର ସୁନେଲି ହସରେ
ଭାସିଯିବ ମୋ ଆଖିର ଲୁହ
ଲାଘବ ହୋଇବ ମୋ ହୃଦୟ ବ୍ୟଥା
ମୋ ପିଠିରେ ବସି,ଘୋଡ଼ା କହି ଯେବେ
ବୁଲାଇବୁ ଘର ଅଗଣାରେ...।
ତୋ ସହ ସାଙ୍ଗ ହୋଇ
ଗୀତ ଗାଇ,ନାଚି, ଖେଳି
ଭୁଲିଯିବି ଦୁଃଖ ଓ ଯନ୍ତ୍ରଣା
କାହାଣୀ ଆଳରେ, ଶୁଣାଇବି ଅଙ୍ଗେ ନିଭା କଥା
ହୁଁ .. ଟିଏ କହିଦେବୁ ଯେବେ
ତୋ, ମୁହଁକୁ ଚାହିଁ
ଘୁଞ୍ଚିଯିବ ମୋର ସକଳ ଯାତନା...।
ମାଗିବୁ ତୁ ଯେବେ, ଜହ୍ନ ଆଉ ତାରା
ଭୁଲାଇବି ମିଛ ଗପ କହି
କହୁଥିବି.. ଆଉ ଦିନେ ନିଶ୍ଚୟ ଆଣିବି
କହି ଡରାଇବି ଅନ୍ଧାରୁଆ ଅସୁରୁଣୀ କଥା
ବୁଲାଇବି ବାରିପଟ ଗୋଲାପ ବଗିଚା
ହାତେ ଦେଇ ରଙ୍ଗୀନ ଗୋଲାପ
ଶୁଣାଇବି ନିଜଳେଖା ଅପ୍ରିୟ କବିତା...।
ହେବୁ ଯେବେ ଅଝଟ ଅମାନ୍ୟ
ଦେଇ ଗାଳି ଉପଦେଶ
ପ୍ରହାରିବି ନିଷ୍ଟୁର ହୃଦୟେ
ଦେଖି ସେ ନିଷ୍ଟୁରତାର ଚିହ୍ନ
ତୋ କୋମଳ ଅଙ୍ଗ ଅବୟବେ
କାନ୍ଦୁଥିବି ଆଢ଼ୁଆଳେ, ପର ମୁହୂର୍ତରେ
ଆହା8 କହି, ଦେବି ମୁଁ ଆଉଁସି
କହୁଥିବି, ସେମିତି ହୁଅନା ମୁନା...।
ତୋ ପଚାରିବା ପ୍ରଶ୍ଣ
ଯେବେ ନ ପାରିବି କହି
ଖୋଜି ଖୋଜି ଏଠି ସେଠି
ପଢା ବହି, ଚାଟଶାଳୀ ପାଠ
ନ ପାଇବି ଯେବେ
କହି ପାରୁ.. ବାପା ମୂର୍ଖ କିଛି ଜାଣିନାହିଁ
ସେଇ ମୋ ଆନନ୍ଦ, ଗର୍ବ ଗଉରବ ।
ତୋ ପରିଚୟ ପଛେ
ମୋ ନାମ ଗୁଣ ଓ ଗାରିମା
ଭଲ ମନ୍ଦ ଚରିତ୍ର ସଂସ୍କାର
ରକ୍ତର ସମ୍ପର୍କ ଯୁଗ ପରେ ଯୁଗ......।
ଭାବନାର ଢେଉ ଚହଲି ଉଠିଲା
ପ୍ରଭାତ ର ସୁନେଲି କିରଣେ
ଦରଶନ ପାଇଁ ହେଲି ଅଗ୍ରସର
କାହିଁ ମୋର ମୁନା.. ଅମୂଲ୍ୟ ରତନ....।
କିନ୍ତୁ, ଅଭିମାନେ ଚୁପ୍ ହୋଇଗଲୁ
ଆସି ପୁଣି ଫେରିଗଲୁ, ନ ଚାହିଁଲୁ ଫେରି
ଜାଣି କି ପାରିଲୁ? ମୋ ଅନ୍ତର ଭାଷା
ଦୁଃଖ ଦେଇଗଲୁ ସୁଖର ବେଳାରେ
ଖୋଜି ମୁଁ ବୁଲୁଛି....
କାହିଁ ମୋର ମୁନା...ମୋ ମାନସ ପୁତ୍ର ।।
