କାଳିଆ ଠାକୁର ମୋର
କାଳିଆ ଠାକୁର ମୋର
କେତେ ଦୁଃଖ ଦେଲେ ମନ ବୁଝିବରେ
କାଳିଆ ଠାକୁର ମୋର
ଯନ୍ତ୍ରଣାରେ ଭରା ଶରୀର ମୋହର
ହୁଅଇ ବଡ କାତର।
ଆତୁରେ ଡାକୁଛି ରଖ ନରହରି
ସହି ପାରୁ ନାହିଁ ଆଉ
ଭକତ ବଞ୍ଚିଲେ ଭଗବାନ ତୁମେ
ଦେଖାଇବ ସିନା ଭାଉ।
ସତ କହ ବାରେ କାଳିଆ ସାଆନ୍ତ
ଶୁଭେ କି ନା ମୋର ଡାକ
ଶୁଣ କି ନ ଶୁଣ ଯାଏ ଆସେ ନାହିଁ
ଡାକିବି ଜୀବନ ଯାକ।
ଦୁଃଖରେ ଡାକିବି ସୁଖରେ ଡାକିବି
ଭୁଲିବି ନାହିଁରେ ତୋତେ
ଯେତେ ଦୁଃଖ ଦେବୁ ଦେ ନୀଳା ଚଳିଆ
କାଳିଆ ଠାକୁର ମୋତେ।
ଯନ୍ତ୍ରଣାର ଭାର ବୋହିବାକୁ ଶକ୍ତି
ଥାଉ କି ନ ଥାଉ ମୋର
ତୋର ଦାନ ଭାବି ବୋହିବିରେ ମୁଁହି
ଜୀବନରେ ନିରନ୍ତର।
ଜୀବ ଗଲାପରେ ତୋ ବଡ ଦାଣ୍ଡରେ
କୋକେଇରେ ସ୍ଵର୍ଗଦ୍ଵାର
ଯିବା ପାଇଁ ମୋର ମର ଶରୀରକୁ
ବାରେ ମାତ୍ର ଦୟାକର।
ତୋର ଦୟା ହେଲେ ସବୁ ଅସମ୍ଭବ
ସମ୍ଭବ ହୁଅଇ ପରା
ସେଥିପାଇଁ ଏହି ଛାର ଦୀନ ଦାସ
ଧରାକୁ ମଣଇ ସରା।