STORYMIRROR

Dharitri Das

Abstract

4  

Dharitri Das

Abstract

କାଳିଆ ଠାକୁର ମୋର

କାଳିଆ ଠାକୁର ମୋର

1 min
367


କେତେ ଦୁଃଖ ଦେଲେ ମନ ବୁଝିବରେ 

     କାଳିଆ ଠାକୁର ମୋର

ଯନ୍ତ୍ରଣାରେ ଭରା   ଶରୀର ମୋହର

     ହୁଅଇ ବଡ କାତର।

ଆତୁରେ ଡାକୁଛି    ରଖ ନରହରି

     ସହି ପାରୁ ନାହିଁ ଆଉ

ଭକତ ବଞ୍ଚିଲେ    ଭଗବାନ ତୁମେ

     ଦେଖାଇବ ସିନା ଭାଉ।

ସତ କହ ବାରେ   କାଳିଆ ସାଆନ୍ତ 

     ଶୁଭେ କି ନା ମୋର ଡାକ

ଶୁଣ କି ନ ଶୁଣ  ଯାଏ ଆସେ ନାହିଁ

     ଡାକିବି ଜୀବନ ଯାକ।

ଦୁଃଖରେ ଡାକିବି  ସୁଖରେ ଡାକିବି

    ଭୁଲିବି ନାହିଁରେ ତୋତେ

ଯେତେ ଦୁଃଖ ଦେବୁ ଦେ ନୀଳା ଚଳିଆ

    କାଳିଆ ଠାକୁର ମୋତେ।

ଯନ୍ତ୍ରଣାର ଭାର   ବୋହିବାକୁ ଶକ୍ତି 

    ଥାଉ କି ନ ଥାଉ ମୋର

ତୋର ଦାନ ଭାବି   ବୋହିବିରେ ମୁଁହି

     ଜୀବନରେ ନିରନ୍ତର।

ଜୀବ ଗଲାପରେ  ତୋ ବଡ ଦାଣ୍ଡରେ

    କୋକେଇରେ ସ୍ଵର୍ଗଦ୍ଵାର

ଯିବା ପାଇଁ ମୋର    ମର ଶରୀରକୁ

     ବାରେ ମାତ୍ର ଦୟାକର।

ତୋର ଦୟା ହେଲେ  ସବୁ ଅସମ୍ଭବ 

      ସମ୍ଭବ ହୁଅଇ ପରା

ସେଥିପାଇଁ ଏହି  ଛାର ଦୀନ ଦାସ 

      ଧରାକୁ ମଣଇ ସରା।


Rate this content
Log in

Similar oriya poem from Abstract