ପ୍ରେମ
ପ୍ରେମ


ସେଦିନ ଥିଲା ବିଷୁବ ସଂକ୍ରାନ୍ତି। ଶ୍ରୀ ଶ୍ରୀ ନୃସିଂହ ନାରାୟଣଙ୍କର ସ୍ଥଳ ଭାଗକୁ ଆଗମନ କରିବାର ଦିନ। ମହା ଆଡମ୍ବର,ନାଟ,କୀର୍ତ୍ତନ,ଜନଗହଳି ମଧ୍ୟରେ ଯେତେବେଳେ ମୁଁ ନିଜକୁ ହଜାଇ ଦେଇଥିଲି।ଠିକ୍ ସେହି ସମୟରେ ଏପରି ଜଣେ ବ୍ୟକ୍ତି ମୋ ସାମ୍ନାରେ ଉପସ୍ଥିତ ହେଲେ ଯାହାଙ୍କୁ ଦେଖି ମୁଁ ମୋର ଆଖି ଫେରାଇ ପାରି ନ ଥିଲି।ତାଙ୍କ ବିଷୟରେ ଜାଣିବାର ଅଭିପ୍ସା ସତେ ଯେମିତି ମୋତେ ବିବ୍ରତ କରି ପକାଉଥିଲା।
ସେଥିପାଇଁ ନିଜକୁ ଅଟକାଇ ନ ପାରି ଆଗେଇ ଚାଲିଲି ତାଙ୍କ ନିକଟକୁ।ବାଟ ଓଗାଳିଲି ଏବଂ କଥା ହେବାକୁ ଆରମ୍ଭ କଲି। ସେହି କିଛି ସମୟ କଥବାର୍ତ୍ତା ଭିତରେ ମୁଁ ତାଙ୍କର ନାମ,ଗ୍ରାମ, ଫୋନ୍ ନମ୍ବର ଜାଣିବାକୁ ସକ୍ଷମ ହୋଇ ପାରିଥିଲି।
ସେ ମୋତେ ଅତ୍ୟନ୍ତ ନିଜର ନିଜର ଲାଗିଲେ।ସିଏ ଯେପରି ଧର୍ଯ୍ୟର ସହ ମୋ ସହ ଯେପରି କଥା ହେଲେ ମୋତେ ଲାଗିଲା ସିଏ ବି ମୋତେ ନିଜର ଭାବୁଥିଲେ।
ଏହାରି ଭିତରେ ଜଣାନାହିଁ ମୁଁ ଯେ କେତେବେଳେ ମାଧବଙ୍କୁ ଭଲ ପାଇ ବସିଥିଲି । ସେହିଦିନ ଠାରୁ ଏମିତି ଗୋଟେ ଦିନ ନାହିଁ ମୁଁ ତାଙ୍କୁ ଫୋନ୍ କରି କଥା ହୋଇନି। ସବୁଦିନ ଦୁହେଁ ଦୀର୍ଘ ସମୟ ଧରି କଥା ହେଉ, ଥଟା ମଜା କରୁ,ହସ ଖୁସି ମଧ୍ୟ ଚାଲେ।ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ଦିନକୁ ଦିନ ଦୃଢ଼ ହେବାରେ ଲାଗିଥାଏ।
ଏହିପରି କିଛି ବର୍ଷ ବିତି ଗଲା।ହଠାତ୍ ମୋ ବାପା ମୋର ବିବାହ ସ୍ଥିର କରିଦେଲେ କେଉଁ ଅଜଣା ରାଇଜର ଏକ ପିଲା ସହିତ। ଏକଥା ଶୁଣି ମୁଁ ଅବାକ୍ ହୋଇ ପଡିଲି। କାରଣ ମୁଁ ମନେ ମନେ ମାଧବଙ୍କ ପ୍ରେମରେ ପଡି ଯାଇଥିଲି। ତାପରେ ଏକଥା ବାପାଙ୍କୁ ଜଣାଇବା ପରେ ବି କିଛି ସୁଫଳ ମିଳି ନ ଥିଲା।ତେଣୁ ମୁଁ ଏକଥା ମାଧବଙ୍କ କାନରେ ପକାଇଲି।ଏକଥା ଶୁଣି ସେ ବି ଦୁଃଖ ପ୍ରକାଶ କରିଥିଲେ କାରଣ ସେ ବି ମନେ ମନେ ମୋତେ ପ୍ରେମ କରୁଥିଲେ। ଏବଂ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ।
ତାପରେ ମୁଁ ତାଙ୍କୁ ଲୁଚି ପଳାଇବାକୁ ପରାମର୍ଶ ଦେଇଥିଲି। କିନ୍ତୁ ସେ ଯୁକ୍ତି ଛଳରେ ମୋତେ ବୁଝାଇଲେ ଯେ ପ୍ରେମରେ ସ୍ବାର୍ଥ ନ ଥାଏ। ନିଃସ୍ଵାର୍ଥପର ଭଲ ପାଇବାକୁ ପ୍ରେମ କୁହାଯାଏ। କାହାରି ମନରେ ଦୁଃଖ ଦେଉଥିବା ପ୍ରେମ ପ୍ରେମ ନୁହେଁ। ବରଂ ଏହା ପାପ। ତ୍ୟାଗରେ ପ୍ରେମର ଓଜନ ବଢ଼ିଥାଏ। ଆହୁରି ମଧ୍ଯ ସେ କହିଥିଲେ "ତୁମେ ତୁମ ବାପାଙ୍କ ନିଷ୍ପତ୍ତି କୁ ସମ୍ମାନ ଦିଅ ଏହାଦ୍ବାରା ଆମ ପ୍ରେମ ଦୁଇଗୁଣିତ ହେବ। ଚିନ୍ତା କର ନାହିଁ।" ତାପରେ ମୋର ବାପା ସ୍ଥିର କରିଥିବା ପିଲାଙ୍କ ସହ ବିବାହ ହୋଇଥିଲା।
କିନ୍ତୁ ମାଧବଙ୍କ ସହ ବନ୍ଧୁତା ଅତୁଟ ରହିଥିଲା।ଏହି ବନ୍ଧୁତା କେବଳ ମୋ ସହ ସୀମିତ ନ ଥିଲା।ଏହା ମୋର ଶାଶୁ ଘର ଓ ବାପା ଘରର ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ବହୁ ଗୁଣିତ ହୋଇ ପ୍ରସ୍ଫୁଟିତ ହୋଇଥିଲା।ଏପରିକି ମାଧବଙ୍କ ପରିବାରର ସମସ୍ତେ ବି ଆମକୁ ଅତି ଆପଣାର ମଣୁଥିଲେ । ଆଉ ମାଧବଙ୍କ ବିବାହର ପ୍ରଥମ ନିମନ୍ତ୍ରିତ ଅତିଥି ଭାବେ ସେମାନେ ଆମକୁ ହିଁ ନିମନ୍ତ୍ରଣ କରିଥିଲେ। ଆମର ପ୍ରେମ ଆମ ଦୁଇ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି କରି ନ ଥିଲା ବରଂ ତିନି ପରିବାର ମଧ୍ୟରେ ସମ୍ପର୍କ ନିବିଡ଼ରୁ ନିବିଡ଼ ହେବାକୁ ଲାଗିଥିଲା।
ତେଣୁ ହେ ବନ୍ଧୁଗଣ ପ୍ରେମ ବା ଭଲପାଇବା କେବଳ ବିବାହ ନୁହେଁ।ପ୍ରେମ ହେଉଛି ସତ୍ୟ,ତ୍ୟାଗ , ଚିରନ୍ତନ ଓ ପ୍ରକୃତ ବନ୍ଧୁତାର ନିଦର୍ଶନ କହିଲେ ଅତ୍ୟୁକ୍ତି ହେବ ନାହିଁ।ତେଣୁ ଆସନ୍ତୁନା ଏହି ଶବ୍ଦର ସୁ ବ୍ୟବହାର କରିବା।ସଭିଙ୍କୁ ନିଜର ପ୍ରେମ ଜାଲରେ ବାନ୍ଧି ରଖି ସମାଜକୁ ଦିଗ୍ ଦର୍ଶନ ଦେବାରେ ସହାୟକ ହେବା।