ସପନ
ସପନ
ଭାବିଥିଲି ମନେ
ହଜେଇ ଦେବିନି
ଜୀବନ ପଥରେ କିଛି
କେମିତି କେଜାଣି
ହଜିଗଲା କାହିଁ
ସପନର ମହୁମାଛି।
ଉଡିଗଲା କି ସେ
କେଉଁ ଉପବନେ
ସୁଗନ୍ଧର ସମ୍ମୋହନେ
ଭୁଲିଗଲା ପ୍ରୀତି
ସ୍ମୃତି ଅନୁଭୂତି
ରୁଷିଲା କି ଅଭିମାନେ।
ହୃଦ ଉପବନ
ଲାଗେ ବାସହୀନ
ଶୁଷ୍କ ମନ ପାରିଜାତ
ଝୁରେ ମଧୁବନ
ହୃଦ କୁଞ୍ଜବନ
ଗାଏ ବିରହ ସଙ୍ଗୀତ।
ଶୁଭେନାହିଁ ଆଉ
ଗୁଣୁ ଗୁଣୁ ତାର
ପ୍ରଣୟର ମଧୁଗୀତି
ନୀରବ ନିଶ୍ଚଳ
ମୋ ଭାବ ଦୁନିଆ
ଝରେନାହିଁ ମିଠା ପଂକ୍ତି।
ଉଇଁଗଲା ବୋଧେ
ଆଉ କା ଆକାଶେ
ଚାନ୍ଦ ସାଜି ହୃଦୟର
ଭିଜିଗଲା ବୋଧେ
ମଧୁ ଜୋଛନାରେ
ରଚି ରଙ୍ଗ ଅଭିସାର।
ହାରୁ ହାରୁ କେବେ
ଜିତି ହେଇଯାଏ
ହୃଦୟ ପାରେନି ବୁଝି
ଲୁହ ପୁଣି କେବେ
ଫୁଲ ହୋଇ ଫୁଟେ
ଜୀବନ ସଂଗ୍ରାମେ ଜୁଝି।
ଅବୁଝା ହୃଦୟ
ଲୁହ ବି ଅବୁଝା
ସପନେ ଅୟୁତ ତୃଷ୍ଣା
ଯେତେ ଦୂରେ ଥିଲେ
ମନ ଜାଣିପାରେ
ସମ୍ପର୍କର ମିଠା ବାସ୍ନା।