କଳ୍ପନା
କଳ୍ପନା
କଳ୍ପନାର ରଙ୍ଗ ଯଦି ଫିକା ପଡେ
ଆସିଯାଏ ପ୍ରଗଳ୍ଭତା,
ଉତ୍ସାହର-ମୃତ୍ୟୁର ଆଶଙ୍କା,
ଆକାଂକ୍ଷାର ଭଟ୍ଟା ପଡେ,
ସମୟର ରୂକ୍ଷ ମରୁଭୂମିରେ
ସଂଗ୍ରାମ ଜାରିରହେ
ଖାଲି ଯାହା ଲୁହ ଶୁଖିଯାଏ,
ଯନ୍ତ୍ରଣାର ମାନଦଣ୍ଡ
ବଢ଼ିବଢ଼ି ଯାଏ ।।
କଳ୍ପନାର ଆୟୁଷ ବଢିଲେ
ପ୍ରୀତିର ସୌରଭ ସାଉଁଟି
ଭାବନାରେ ଶିହରଣ ଆସେ,
କଳ୍ପନାରେ ଜୀବନ ଚାଲେ --
ଫଗୁଣର ସପନରେ,
ବୈଶାଖର ଶୁଷ୍କତା ଜଣାପଡେନାହିଁ
ଆଉ ସ୍ପନ୍ଦନ ହୃଦୟରେ
ଗୋଲାପ ସାଉଁଟି ପାରେ ।।
କଳ୍ପନା ବିନା ଜୀବନ ଅପୂର୍ଣ୍ଣ
ବାରମ୍ବାର ସପନର
ତାଜମହଲ ଗଢିଲେ ବି
ସୌଦାଗର ହେବାକୁ
ଡେରି ଲାଗେନି,
କଳ୍ପନା ରେ ଯନ୍ତ୍ରଣା ଆସେନି
ସୁଖର ପ୍ରାଚୁର୍ଯ୍ୟ ମାଡିଚାଲେ,
ପଳାଶ ଫୁଲର ରଙ୍ଗ
ଆହୁରି ରଙ୍ଗୀନ ହେଇଯାଏ ।।
ମାନସପଟରେ
ସମୁଦ୍ର ସ୍ଥିର ଲାଗେ,
ନିଘୋଡ ନିଦରେ
ଶୋଇଲାଭଳି,
ଗୋଧୂଳି ବେଳାରେ
ଝଡ ହେଲେ ବି ମନ ହୁଏ
ହେବାକୁ କଳ୍ପନା ବିଳାସୀ,
କଳ୍ପନାରେ ଦୁଃଖ
ଆସେନି କେବେ,
ଲିଭି ଲିଭି ଯାଉଥିବା
ଦୁର୍ବଳ ସ୍ମୃତିସବୁ
ଖୁବ୍ ଆଲୋକ ଦିଅନ୍ତି ।।
କଳ୍ପନାରେ ରାତିରାତି
ଉଜାଗର ରହି
ଆକାଶର ଶୋଭାରେ
ନିମଗ୍ନ ରହିହୁଏ,
ଚନ୍ଦ୍ରର କିରଣରେ ବିଭୋର
ହେବାକୁ ଡେରିହୁଏନି
କେବେ ଦୁଃଖର ପାହାଡ
ଭେଟେନି କେହି କଳ୍ପନାରେ ।।
କଳ୍ପନା ରେ;
ଗୀତ ଥିଲେ
ସୁର ମିଳିଯାଏ,
ଗପ ଥିଲେ
ଧାରା ମିଳିଯାଏ,
ଏହା ଏକ ଭାବନା
ଶବ୍ଦରୁ ଛାଏଁ ପଢିହୁଏ,
ଶୀତୁଆ ରାତିର ଜହ୍ନକୁ
ଉଷ୍ମ ବେଳାଭୂମିର ଗୀତିକୁ
ନୀଳ ଜହ୍ନର ଚପଳାମି, ଆଉ
ସବୁ କୁଆଁରୀ ହୃଦୟର ଭାବକୁ ।।