କଳ୍ପବଟ
କଳ୍ପବଟ
ଅର୍ଦ୍ଧନାରୀଶ୍ୱର ସ୍ୱୟଂ ନୀଳକଣ୍ଠ
ଏ ପୃଥିବୀ କଳ୍ପବୃକ୍ଷ
ସବୁଜ ସୁନ୍ଦର ଅମୃତ ସୁଫଳେ
ଶସ୍ୟ ଶ୍ୟାମଳ ତା ବକ୍ଷ ।
ନୀରବ ନିଶ୍ଚଳେ ମଗ୍ନ ତପସ୍ୟାରେ
ଭସ୍ମ ବିଭୂତି ମଣ୍ଡିତ
ଧ୍ୟାନ ହେଲେ ଭଗ୍ନ ବାଜଇ ଡମ୍ବରୁ
ପ୍ରକୃତି ହୁଏ କୂପିତ ।
ତାଣ୍ଡବ ନୃତ୍ୟରେ କମ୍ପଇ ବସୁଧା
ନୟନୁ ନିସର୍ଗେ ଅଗ୍ନି
ମହାପ୍ରଳୟର ଶୁଭେ ହା ହା କାର
ପ୍ରମାଦ ଗଣେ ଧରଣୀ ।
କ୍ଷିତି ଅପ ତେଜ ବ୍ୟୋମ ଓ ମରୁତ
ମଧୁର ସୁସମନ୍ୱୟେ
ସୃଷ୍ଟି ଆଦିମୂଳ ସଦାଶିବ ତୁଷ୍ଟେ
ଜୀବନ ସୃଜେ ସମ୍ଭବେ ।
ସ୍ଵାର୍ଥ ଅହଙ୍କାରେ ଭାବୁଛି ମଣିଷ
ନିଜେ ସର୍ବ ଶକ୍ତିମାନ
ତା ଅବିମୃଶ୍ୟତା ନୀଚ୍ଚ ସ୍ୱଳ୍ପ ଜ୍ଞାନ
ଧ୍ୱଂସକୁ କରେ ଆହ୍ୱାନ ।
ତାର ଅପକର୍ମ ଅସାଧୁ ଉଦ୍ୟମ
ଦୁରାଚାର ପ୍ରଦୂଷଣ
ଛାୟା ମାୟାସୁର ଗୋଡାଉଛି ପଛେ
ଦୁଷ୍ଟ ରାକ୍ଷସ ସମାନ ।
ତାର ସୁକର୍ତ୍ତବ୍ୟ ଅଟଇ କେବଳ
ରହି ସଦା ସଚେତନ
ମାଳିଟିଏ ମଣି କଳ୍ପବଟ ଟିର
ନେବା ଉପଯୁକ୍ତ ଯତ୍ନ ।
ଆଚରି ସଂଯମ ହିଂସା ଦ୍ୱେଷ କ୍ରୋଧ
ମଙ୍ଗଳ ସୃଜନ କର୍ମ
କରିବା ଉଚିତ ସର୍ବେ ସହଯୋଗ
ସତ୍ୟ ରକ୍ଷା ଶ୍ରେଷ୍ଠ ଧର୍ମ ।
