କଳଙ୍କ
କଳଙ୍କ
ପୂଣ୍ୟ ସାଗରିକା ମଥାର ଚନ୍ଦ୍ରିକା
ନାରୀ ନାମ୍ନୀ ନିଳୋତ୍ପଳା ,
ପୁରୁଷ ପ୍ରେମିକା ପ୍ରୀତିର ନାୟିକା
ପ୍ରେମିକଙ୍କ ପ୍ରୀତି ବାଳା ।
ନର ବିଶ୍ଵାସରେ ନାରୀ ନିଃଶ୍ଵାସରେ
ଅଘଟଣ ଘଟଣାରେ ,
କାରୁଣ୍ୟ ଚିତ୍କାର ଆର୍ତ୍ତନାଦ ସ୍ଵର
ଶୁଭେ ଆଜି ସମାଜରେ ।
ପୁରୁଷ ହସଇ ପ୍ରଲୋଭନ ଦେଇ
କଲିଜା ନିଏ ଚୋରେଇ ,
ନାରୀ କଳାଜାଇ ବଦଳେଇ ଦେଇ
କଳଙ୍କ ଦିଏ ପିନ୍ଧେଇ ।
ପ୍ରେମ ପିତାମ୍ବରୀ ଚନ୍ଦ୍ରିକା ମୟୁରୀ
ଦିଅନ୍ତି ଯତ୍ନେ ସଜାଇ ,
ସିନ୍ଦୂର ବଦଳେ ପୁରୁଷାର୍ଥ ଜଳେ
କଳଙ୍କେ ମଥା ଭିଜଇ ।
ପୀଡ଼ିତ ସଭ୍ୟତା ପୁରୁଷ ଉଗ୍ରତା
ଆଗ୍ନେୟର ରୂପ ନିଏ ,
ନାରୀର ଗଳାରେ ନୀଳ ଜହରରେ
ବିଷ ମୁନ୍ଦିଏ ପିଆଏ ।
ପଦ୍ମ ଫୁଲ ଲୋଭେ ଟାଣି ନେବେ ଆଗେ
ଅଥଳ ପାଣି ଭିତରେ ,
କଙ୍କାଳ ମିଳିବ ଅସ୍ତିତ୍ବ ଲିଭିବ
ରକ୍ତ ମୁଖା ସକାଳରେ ।
ପ୍ରେମରେ, ପ୍ରେମରେ ରଙ୍ଗୀନ୍ ସ୍ୱପ୍ନରେ
ବିଶ୍ୱାସରେ ବିଷ ଦେଇ ,
ଅସ୍ମିତାଙ୍କ ମୃଦୁ ନିରୀହତା ହେତୁ
ରକ୍ତ, ମାଂସ ଦେବେ ଖାଇ ।
ଆଡମ୍ବର ଆଖି ଛଳନାର ସାକ୍ଷୀ
ବେବିନା, ଅରୁଣା , କେତେ,
ନିର୍ଭୟା , ଦାମିନୀ ପୁଣି ଛବିରାଣୀ
ମଲ୍ଲିକାଙ୍କ ଲହୁ ଯେତେ ।
ବିଟପ ପୁରୁଷ ମରେ ନାହିଁ ଶୋଷ
ବଳାତ୍କାର କରି ମାରେ ,
ମୁକ୍ତି ଶୋଭାଯାତ୍ରା ହୁଏ ମହାଯାତ୍ରା
ନାରୀ ଜୀବନ ଯୁଦ୍ଧରେ ।