କଳା କାରବାର ବାବୁଙ୍କ ଖେଳ
କଳା କାରବାର ବାବୁଙ୍କ ଖେଳ
କଳା ଟଙ୍କା ଗଦା ଉପରେ ଦେଖ ବାବୁ ଙ୍କ ଖେଳ
ସେହି ଖେଳ ପୁଣି ହେଉଛି ବାବୁ ମାନଙ୍କୁ କାଳ।
ଆଖିବୁଜା କଳା ଟଙ୍କା ସେ କରିଥାନ୍ତି ଅର୍ଜନ
କାଳ ସାପ ଆସି କାନରେ ତାଙ୍କ କରେ ଗର୍ଜନ।
ବଡ଼ ବଡ ସହର ରେ ତ ଥାଏ ବାବୁଙ୍କ ଘର
ଟଙ୍କା ସୁନା ଭରା ପୁଣି ଯେ କେତେ ଗୁପ୍ତ ଭଣ୍ଡାର।
ବେନାମୀ ସଞ୍ଜୟ ଖାତାର ଜମା ହିସାବ ନାହିଁ
ଟଙ୍କା ବିନା ତାଙ୍କ ଆଖିକୁ ନିଦ ଆସଇ ନାହିଁ।
ଧରମ କୁ ଆଖି ଠାର ଯେ ବାବୁ ମାନେ ମାରନ୍ତି
ଝିଣ୍ଟିକା ମାରିଣ ସେମାନେ ବଣି ପୋଷି ଯେ ଥାନ୍ତି।
ଗରିବ ରକତ ଲାଗଇ ତାଙ୍କ ପାଟିକୁ ଭଲ
ମାଲେ ମାଲ୍ ହୋଇ ଥାଆନ୍ତି ବଡ଼ବଡ଼ିଆ ପହ୍ଲ।
ଲାଞ୍ଚୁଆ ବାବୁ ଙ୍କ ପାଇଁଁକି ସରକାରୀ ଯୋଜନା
ଲୋକଙ୍କ ପାଖରେ ସହଜେ ପହଞ୍ଚି ସେ ପାରେନା।
ଫାଇଲି ଘୁଞ୍ଚେନା ନଦେଲେ ବାବୁ ମାନଙ୍କୁ ଲାଞ୍ଚ
ତୁଛାଟାରେ ସବୁ କଥାରେ ବାବୁ କାଢନ୍ତି ପେଞ୍ଚ।
କୈମିତି ଏମିତି କରନ୍ତି କଳା ଧନ ସେ ଠୁଳ
ଡର ଲାଗେ ନାହିଁ ବାବୁ ଙ୍କୁ ସବୁ ଦେଖୁଛି କାଳ।
ବେହିସାବି ଧନ ସମ୍ପତ୍ତି କୂଳ କିନାରା ନାହିଁ
ଖୋଳତାଡ଼ ହେଲା ବେଳକୁ ଆଖି ପାଏ ଯେ ନାହଁ।
ଚାରିଆଡେ ତାଙ୍କ ଚରଚା ତାଙ୍କୁ ଲାଗେନି ଲାଜ
ଧରା ପଡିଗଲେ ମଉଳି ଯାଏ ମୁହଁ ର ତେଜ।
କଳା କାରନାମା ତାଙ୍କର ତାଙ୍କ କଳା କାହାଣୀ
ଟିଭି ରୁ ଖବର କାଗଜ ହୋଇଥାନ୍ତି ବଖାଣି।
କ୍ୟାମେରା କୁ ଦେଖି ବାବୁ ଯେ ଏବେ ଲୁଚାନ୍ତି ମୁହଁ
କିଏବା ବୁଝିବ ତାଙ୍କର ସେହି ଅକୁହା କୋହ।
ବେଳେବେଳେ ବଢିଯାଏ ଟି ରକ୍ତ ଚାପ ତାଙ୍କର
ମରଣ ଠୁ ବଳି ଯନ୍ତ୍ରଣା ଜେଲ୍ ହାଜତ ଡର।
ଯେତେବେଳେ ଯିଏ ବାବୁଙ୍କୁ ସବୁ ଜେରା କରନ୍ତି
ସାତ ପୁରୁଷକୁ ତାଙ୍କର ସେତ ଉଝାଳି ଥାନ୍ତି।
ଯେଉଁ ପୂର୍ବ ପୁରୁଷଙ୍କୁ ତ ବାବୁ ପକାନ୍ତି ପୀଣ୍ଡ
ସେ ପୂର୍ବ ପୁରୁଷ ଶୁଣନ୍ତି ତାଙ୍କ ଅନୀତି କାଣ୍ଡ।
ମଣିଷ ଜନମ ନୁହଁଇ କରିବାକୁ ଅୟସ
ଦୁଃଖ ଯାତନା ର କାରଣ ସେତ ଭୋଗ ବିଳାସ ।
ବେଶି ଲାଭ ଯିଏ ରଖଇ ତାର ବଢ଼ଇ ଚିନ୍ତା
ବେଶି ଲୋଭ ଯିଏ କରଇ ଲୁହେ ହୁଅଇ ତିନ୍ତା।
ପରିଶ୍ରମ ଠାରୁ ଅଧିକ ଯିଏ ଆଶା କରନ୍ତି
କଳା ଟଙ୍କା ପାଇଁ ସେମାନେ ସଦା ମନ ବଳାନ୍ତି ।
କଳା ଟଙ୍କା ସ୍ବାଦ ପାଟିରେ ଆହା ଲାଗଇ ଯାର
ଧରମ ଅଧର୍ମ ପାରେନି ସିଏ କରି ବିଚାର।
ନଟେଇ ରୁ ସୂତା ଛାଡ଼ିଲା ପରି ତାଙ୍କୁ ଈଶ୍ବର
କଳା ଟଙ୍କା ପାଇଁ ଦିଅନ୍ତି ସୁଯୋଗ ବାରମ୍ବାର ।
ପାହାଡ଼ ପ୍ରମାଣ ଟଙ୍କା ଯେ ବାବୁ କରନ୍ତି ଜମା
ସେତେବେଳେ ପ୍ରଭୁ ବାବୁଙ୍କୁ କରନ୍ତି ନି ତ କ୍ଷମା।
ସୁରୁକି ପକାଇ ସୂତାକୁ ପ୍ରଭୁ ଦିଅନ୍ତି କାଟି
ଥଳ କୂଳ ଆଉ ମିଳେନି ଦୁଃଖେ ହୁଏ ଆଉଟି।
ଲେଉଟିବା ପାଇଁ ପଛକୁ ଆଉ ପାଏନି ଆଖି
ଲୋକ ହସା ହୋଇ ବାହୁନେ ନିତି ପରାଣ ପକ୍ଷୀ।
ଶାସ୍ତ୍ର ପୁରାଣ ରେ କଥା ଟି ହୋଇଅଛି ବର୍ଣ୍ଣିତ
ଈଶ୍ୱର ତ ସବୁ ଦେଖନ୍ତି ହେଲେ ଡେରି ରେ ସେତ।
ପାପ କୁ କେହି ଯେ କେବେ ତ ପାରି ନାହିଁ ଲୁଚାଇ
ଜଣା ପଡିଗଲେ ଆଖିରୁ ଲୁହ ଶୁଖଇ ନାହିଁ।
ଆଶା ବୈତରଣୀ ନଦୀ ଲୋ ତାର ପ୍ରଖର ଶୁଅ
ଦୁଃଖ ଯାତନା ର କାରଣ ତାର ଅଲୁରା ଖିଅ।
ଆବଶ୍ୟକ ଠାରୁ ଅଧିକ ଆଶା ଦିଅଇ ଦୁଃଖ
ଆଶା ମରିଚିକା ନିଅଇ ଲୁଟି ସବୁ ଲୋ ସୁଖ।
ଆଶା ପଛେ ପଛେ ଧାଇଁ ଲୋ କିଆଁ ପାଇବ କଷ୍ଟ
କାହିଁକି ସିଞ୍ଚିବ ମିଛରେ ଏତେ ଅଧର୍ମ ବିତ୍ତ?
ଅଧର୍ମ ବିତ୍ତ ସେ ଏମିତି ବଢ଼ି ଯାଏ ବହୁତ
ଗଲାବେଳେ ଚାଲି ଯାଏ ଟି ତାର ମୂଳ ସହିତ।
ଈଶ୍ୱର ଙ୍କ ପ୍ରତି ସର୍ବଦା ଯିଏ ଲୟ ରଖନ୍ତି
ପାପ କରିବାକୁ ସେମାନେ ସଦା ଭୟ କରନ୍ତି।
ଲୋଭ ଲାଭ ଠାରୁ ସେମାନେ ସଦା ଦୂରେ ରୁହନ୍ତି
ସାରା ଜୀବନ ସେ ଖୁସିରେ ତାଙ୍କ କାଳ କାଟନ୍ତି ।
