କିଏ ସେହି ଭଗବାନ
କିଏ ସେହି ଭଗବାନ
ଅଳ୍ପ ବହୁତ ତର୍କ କି ମତ
ଅବା ସେ ବଡ ସାନ,
ସେ କି ଆକାର କି ନିରାକାର
ରୂପେ କି ଅଣାକାର ?
ସତେ ସୁନ୍ଦର କି ଅସୁନ୍ଦର
କିବା ସେ ଡେଙ୍ଗା ଗେଡା,
କିଏ କହିବ ସେ ଭଗବାନ
ଯୁବକ ଅବା ବୁଢ଼ା?
ମୋଟା ପତଳା ଭାରି ହାଲକା
କିବା ସେ ଉଚ୍ଚ ନିମ୍ନ,
ଅଛି କି ଆଦି କିବା ଅନାଦି
ଅଲେଖ ନିରଞ୍ଜନ ?
ପାଠୁଆ କିବା ଅପାଠୁଆ ସେ
ବ୍ୟକ୍ତ କି ଅବ୍ଯକତ,
କିବା କଳ୍ପନା କି ଅକଳ୍ପନା
ଭାବେ କି ଅନୁଭୂତ?
ଅଛି ତା' ଅନ୍ତ କି ସେ ଅନନ୍ତ
ଅଛି କି ରୂପ ବର୍ଣ୍ଣ,
ସେ କିବା ଧର୍ମ କି ଉର୍ମ ଧୂମ
କିବା ଅଗମ୍ୟ ଗମ୍ଯ?
ସେ କିବା ଶୂନ୍ୟ କି ପରିପୂର୍ଣ୍ଣ
ଆବେଗ ଅନୁମାନ,
ସେ କିବା ସ୍ଵପ୍ନ କି ଜାଗରଣ
ବିଜ୍ଞାନ ଅବା ଜ୍ଞାନ?
ଚିନ୍ତା ଚେତନା ହେତୁ ବାସନା
କିବା ସେ ଛାୟାମାୟା,
କିବା ଭଜନ ରୂପ ରଚନ
ସେ କିବା କ୍ଷମା ଦୟା!
ଶୂନ୍ୟ ମନ୍ଦିରେ ବାସ କି କରେ
କି ରୂପରେଖ ନାହିଁ,
ଶୀତ କି ଉଷ୍ଣ ତା' ବାସସ୍ଥାନ
ଜାଣି ପାରୁନି ମୁହିଁ।
କି ନାମ ତାର କିବା ଅନାମ
କିବା ସେ ସର୍ବନାମ,
ଜପା ଅଜପା ଦେଖା ଅଦେଖା
ନିଷ୍କାମ ଅବା କାମ?
ସେ କିବା ପିଣ୍ଡ ଅବା ବ୍ରହ୍ମାଣ୍ଡ
ଦୃଶ୍ୟ,ଶ୍ରବଣ ,ଶବ୍ଦ,
ସେ କିବା ବେଦ ଅବା ନିର୍ବେଦ
ରୂପ ଅରୂପାନନ୍ଦ ?
ସେ ସନାତନ କି ଇସିଲାମ
ଭେଦ ଅଭେଦ ସିଏ,
ସ୍ଫୃଶ୍ଯ ଅସ୍ପୃଶ୍ୟ କିବା ବିଶ୍ଵାସ
ଭରଷା ଶବ୍ଦଟିଏ ?
ଏମିତି କେତେ ଅସମାହିତ
ମନେ ଆସୁଛି ପ୍ରଶ୍ନ,
ହେ ସୁଜ୍ଞଜନ ଦିଅ ହେ ଜ୍ଞାନ
ସଂସୟ ଫିଟୁ ମନ।
ତୁମେ ପଢିଛ ବେଦ ପୁରାଣ
ମୁଁ କିନ୍ତୁ ପଢିନାହିଁ,
ପିତାମାତାଙ୍କ ମାନୁଛି ବୋଲ
ଅଜ୍ଞାନ ଶିଶୁ ହୋଇ।
ତୁମେ କହିଛ ଯେ ବିରାଜିତ
ବ୍ରହ୍ମ ସକଳ ଘଟ,
ତେଣୁ ତୁମକୁ ବ୍ରହ୍ମ ସ୍ଵରୂପେ
କରୁଛି ଦଣ୍ଡବତ।
ତଥାପି ମନ ବୁଝେନା ମୋର
ଯାଏ ମୁଁ ପୁରୀଧାମ,
ଦର୍ଶନ କରେ ଚକାନୟନ
ସେ କାଳେ ଭଗବାନ।