STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ନିର୍ବାଚନୀ ଛୁଙ୍କ

ନିର୍ବାଚନୀ ଛୁଙ୍କ

1 min
7

(ରମ୍ୟ ରଚନା)


କିଏ ଦ‌ଉଛି ଚାଉଳ ଭାଇ

   ପେଟ ଭରିବା ପାଇଁ,

ପାଇଖାନା କେ ଦ‌ଉଛି ପେଟ

   ଖାଲି କରିବା ପାଇଁ।

କିଏ ସେ କୋଠାଘର ଦେଉଛି

   ରହିବା ପାଇଁ ଘରେ,

କିଏ ସେ ଲକ୍ଷ୍ମୀ ବସ୍‌ ଦେଲାଣି

   ବୁଲା ପାଇଁ ବାହାରେ।

କିଏ ସେ ଦେଲା ହଜାରେ ଟଙ୍କା

   କେ ଖାଲି ବ୍ୟାଗ୍ ଦେଲା,

ଦେଲାବାଲାଟି ଜଣା ନ ଗଲା

   କେ ପୁଣି ନାଆଁ ନେଲା।

କିଏ ସେ କେତେ ଯୋଜନା ଖୋଲେ

   ଭୋଟ୍‌ ପାଇବା ପାଇଁ,

ଭୋଟର ଭାଗ୍ୟ ଖୋଲିଛି ଆଜି

   ନେବାକୁ ଅଛି ଚାହିଁ।

କିଏ କହୁଛି ଭତ୍ତା ବଢିବ 

   ଭୋଟ୍‌ ଆମକୁ ଦିଅ,

ବିଜୁଳି ବିଲ୍ ଛାଡ଼ କରିବୁ

   ଏହା ବି ଶୁଣିଥାଅ‌।

କିଏ ବି କହେ କୃଷି ଲୋଅନ

   ଯେତେକ କରିଅଛ,

ଦେବାକୁ ଆଉ ପଡ଼ିବ ନାହିଁ

    ଆମକୁ ଆଗ ବାଛ।

କେ ଲେଖି ଲମ୍ବା ଇସ୍ତାହାରକୁ

    ମାରୁଛି‌ ବାହାଷ୍ପୋଟ‌,

ଆମେ ତୁମର ସେବା କରିବୁ

    କଥାଟି ପୁରା ସତ।

ଛକ ବଜାର ସରଗରମ

    ଆସିଛି ନିର୍ବାଚନ,

ଛକା‌ ପଞ୍ଝାରେ‌ ଖେଳ ଚାଲିଛି 

    ସଭିଏଁ କନକନ‌।

କଥା କଥାରେ କୁଜି ନେତାଙ୍କ

   ଗାଆଁରେ ଗଣ୍ଡଗୋଳ,

ବ୍ଯାନର ଚିରାଚିରି ଚାଲୁଛି

   କଷାକଷି‌ ଯେ ବଳ।

ସରିଯାଇଛି ଡିଆଁ ବାଗୁଡ଼ି

   କେତେକ ନେତାଙ୍କର,

ଗୋଟେ ଦଳରୁ ଅନ୍ଯ ଦଳରେ

   ମିଶ୍ରଣ ବାବୁଙ୍କର‌।

ସରିଗଲାଣି‌ ନୋମିନେସନ‌

   ଭୋଟ୍‌ ଗନ୍ଧ ବାସେ,

ଜନତା ଟଙ୍କା ପାଇବା ପାଇଁ

   ପ୍ରାର୍ଥୀଙ୍କ ସହ ମିଶେ।

ମିଳିଗଲାଣି ଭିତିରି ଖର୍ଚ୍ଚ

   ମଦ ଚିକେନ ଝୋଳ,

ଖାଇକି‌ ବଳ‌ ଆସିଲେ ଭାଇ

   ଭୋଟ୍‌ କେନ୍ଦ୍ରକୁ ଚଳ।

କ‌ଅଁଳ କଥା କହନ୍ତି ନେତା

   ଓଠରେ‌ ହସ ବୋଳି‌,

ଭୋଟ୍‌ ସରିଲେ ତାଙ୍କ ଦର୍ଶନ

   ମନରୁ‌ ଯିବ ଭୁଲି।

ପଦ୍ମ ଫୁଟିଛି ଶଙ୍ଖ ବାଜୁଛି

   ହାତ ବି ହଲୁଅଛି,

ଆହୁରି ଦେଖ ଅନେକ ଚିହ୍ନ

   ଆଖିରେ ପଡ଼ୁଅଛି।

କାହାକୁ ଦେବ ଭୋଟ୍‌ ଖଣ୍ଡିକ

    ମନରେ ସ୍ଥିର କର,

ଯିଏ ଅଧିକ ଟଙ୍କା ଦେଇଛି

  କ'ଣ, ସିଏ ଆପଣଙ୍କର?

କିଏ ସେ ଯୋଗ୍ଯ କିଏ ଅଯୋଗ୍ୟ

   ପ୍ରାର୍ଥୀଙ୍କୁ ଭୁଲିଯାଇ,

ପାଣିରେ ଭୋଟ୍‌ ପକାଅ ନାହିଁ

   ପ୍ରିୟ ଭୋଟର‌ ଭାଇ।

ଗାନ୍ଧୀଙ୍କ ତିନି ମାଙ୍କଡ଼ କଥା

   ମନେ ସ୍ମରଣ କର,

ତାଙ୍କ ବିପକ୍ଷ ନୀତି ଆଜିର

   ଆମ ଏ ନେତାଙ୍କର।

ଯେଉଁ ମାଙ୍କଡ଼ କାନରେ ହାତ

   ଦେଇ ବସିଛି ଜାଣ,

ସେ ଆଜି ନେତା ଜନତା ଦୁଃଖ

   ଶୁଣେନା କଦାଚନ।

ଦେଇଛି ଯିଏ ପାଟିରେ ହାତ

   ସିଏ ଜନତା ଅଟେ,

ସବୁ ଦେଖିବ ଚୁପ୍ ରହିବ,

   ସୁନାପିଲାଟି‌ ସତେ।

ତିନି ନମ୍ବର ମାଙ୍କଡ଼ ଆଖି

   ବନ୍ଦ୍ କରିଛି ଯିଏ,

ସିଏ ମିଡ଼ିଆ ସବୁ ଦେଖି ବି

   କିଛି ଦେଖି ନ ଥାଏ।

ଏହି ତିନୋଟି ମାଙ୍କଡ଼ଙ୍କର

   ଏ ନୁହେଁ ପରିଚୟ,

ଆଜିର ନେତା ସ୍ଵାର୍ଥ ପଛରେ

   ଧାଉଁଛି ଅହରହ।

ଭୋଟ୍‌ ପରବ‌ ଦେଶର ଗର୍ବ

   ଗଣତନ୍ତ୍ରର ଭାବ,

ସେ ଭାବ ବୁଝି ଭୋଟର ଭାଇ

   ଠିକ୍ ବଟନ‌ ଦାବ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy