ଭିନ୍ନ ଭିନ୍ନ ଯୁଦ୍ଧ
ଭିନ୍ନ ଭିନ୍ନ ଯୁଦ୍ଧ
ଯୁଦ୍ଧ ନିଜ ସହ, ଶତ୍ରୁ ସହ
ଭାଗ୍ୟ,ସମୟ ଓ
ବନ୍ଧୁ ଭିତରେ ଲୁଚିଥିବା ବନ୍ଧୁକ ସହ !!
କେବେଦିନେ ପଢିଥିଲି- "ବାଘ ହଳେ ଆଖି ସହ ଲଢେ କାଳେ",
କେବେକେବେ ପରାଜିତ ହୁଏ ବି!
କଣ ଦେଖେ ସେ ହଳକ ଆଖିରେ !!
ସେ ବୋଧେ ଛଳନା ପଢିପାରେନା ..
ସତରେ କଣ ସେ ଆଖି ଚାରିକଡର ସ୍ନାୟୁରେ,
'ଭୟ' ଧାଉଁନଥିବ ! ଛାତିରେ କେହି କରତ ଚଳଉନଥିବ !
ବାଘ କିନ୍ତୁ ଛାଡିଯାଏ ଶିକାର,
ଦୟାରେ କି ଭୟରେ କେଜାଣି!(ପ୍ରେମରେ ତ ନୁହଁ)
ସେ ଜାଣିନଥାଏ ଜହ୍ନକୁ ଥାପୁଡେଇ ଶୁଆଇଦେବାର କଳା, ରାତି ମୁହଁରୁ
କଳା ଚାଦରଟା ଟାଣିନେଇ ଦିନ ଦେଖାଇବାର
କୌଶଳ, ଜୁଳୁଜୁଳିଆ ପୋକ କାନ୍ଧରେ ବସି
ନିଅନ୍ ଆଲୋକର ଉତ୍ସ ହାତେଇବାର କାଇଦା !
ବିଚରା ବାଘ ସହରର ରଂଗୀନ ଆଲୋକ
ଭେଳିକିରେ ହଜିଯାଏ, ଜାଣେନି ଏଠି ସବୁ ଆଖି
ତାକୁ ମାଟି କାମୁଡେଇଦେବାକୁ ଯଥେଷ୍ଟ !
ସବୁବେଳେ ଯେ ଯୁଦ୍ଧରେ ବାରୁଦର ଗନ୍ଧ କି ରକ୍ତପାତ ଥିବ ତା'ର ମାନେ ନାହିଁ..,
କିନ୍ତୁ ସାମ୍ନା ଜୀବଟି ଥିବ ଚେତନାଶୂନ୍ୟ !!
ହସିହସି ତଂଟି ଚିପାଯାଇପାରେ ..
କଥାର ନାହୁଡରେ ସ୍ଥାଣୁ ବି ବନାଯାଇପାରେ !
ବୁଝୁବୁଝୁ ବିଳମ୍ବ ହୁଏ କି କଣ
ଖପ୍ ଖପ୍ ଡେଉଁଥିବା ସେ ନିରୀହ ହଳଦୀବସନ୍ତ
ଖାଦ୍ୟ ଅନ୍ୱେଷଣ କରିବା ଭିତରେ ଗଛରେ ଥିବା ଅଜଗର ର ଖାଦ୍ୟ ବନିସାରିଯାଏ ..!!
ତେବେ ଫଗୁଣର କି ଯାଏ..!!
'ଫଗୁ' ରଂଗରେ ହେଉ କି ରକ୍ତରେ
'ଯୁଦ୍ଧ' ଅସ୍ତ୍ର ରେ ହେଉ କି ନିରସ୍ତ୍ର ରେ
ନିରୀହତା ଓ ସରଳତାର ପରାଜୟ ତ
ସବୁକାଳେ !!
ଡ. ମୌସୁମୀ ପରିଡା ।
ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ପରିସର।
କ୍ୱା.ନଂ - ୩ଆର /୪, ଜଗତସିଂହପୁର ॥
ହୋଲି ଶୁଭେଚ୍ଛା