STORYMIRROR

Hrushikesh Satpathy

Tragedy

3  

Hrushikesh Satpathy

Tragedy

ହେ ବନ୍ଧୁ ବରେଣ୍ୟ

ହେ ବନ୍ଧୁ ବରେଣ୍ୟ

1 min
26.5K


ହେ ବନ୍ଧୁ ବରେଣ୍ୟ, ତୁମରି ବକ୍ତବ୍ୟ

ହୃଦୟ ଥରାଇ ଦେଲା ।

ମନ,ପ୍ରାଣ ଆଉ ଅନ୍ତରକୁ ମୋର

ବିକଳାଙ୍ଗ କରିଦେଲା ।


ଭାବି ନ ଥିଲି ମୁଁ ଏତେ ଯେ ନିଷ୍ଠୁର

ସେଇ ପଦିଏ ସତ୍ୟରେ ।

ମହା କାଳ ଆଖି ଲୁହରେ ଭିଜିବ

ତୁମ କଥା ପଦକରେ ।


ଲୁହ ବଦଳରେ ରୁଧିର ବହିଲା

ନିଷ୍ଠୁର ସତ୍ୟକୁ ଜାଣି ।

ଈଶ୍ୱର ସତେକି ଅଟନ୍ତି ପଥର

ଦଣ୍ଡନ୍ତି କିଛି ନ ଜାଣି ।


ଜୀବନର ମୋ'ର ଶୂନ୍ୟତା ସମୟେ

ତୁମ ସଂଗେ ଦେଖା ହୁଏ।

ଶବ୍ଦ ପାଖୁଡ଼ାରେ ତୁମ ନାମାଙ୍କନ

ମୋ'ହୃଦୟେ ଚିତ୍ରିଯାଏ।


ଅଳପ ଦିନରେ ବହଳେ ବନ୍ଧୁତା

ମନ ତଳେ ଜମିଯାଏ ।

ହେଉନି ପରତେ, ନିଜ ଅଜାଣତେ

ବନ୍ଧୁତା ନିବିଡ ହୁଏ ।


ପରିବାର ଏକ ପୁଣ୍ୟ ପାନ୍ଥଶାଳା

ଈଶ୍ୱରଙ୍କ ଅଭିପ୍ରେତ ।

ଦରଦ ଦ୍ରାକ୍ଷାକୁ ପ୍ରସାଦ ଭାବରେ

ବାଣ୍ଟି ନିଅନ୍ତି ସତତ।


ପରିବାର ଠାରୁ ଆହୁରି ନିବିଡ

ତୁମରି ବନ୍ଧୁ ପଣିଆ ।

ଅଦେଖା ହୋଇ ବି ଅଳପ ମୁହୂର୍ତ୍ତେ

ମନ କଲ ମତାଣିଆ ।


ଅପରାହ୍ନେ ଆଜି ତୁମ ଅପରାହ୍ନ

ବିଷୟେ କହିଲ ଖୋଲି।

ବିଶ୍ୱାସୀ ହୋଇ ବି ଅବିଶ୍ୱାସ କଲି

ଜମା ପରତେ ନ ଗଲି ।


ଭାବିଲି ଠାକୁର ତୁମେ ନିରନ୍ତର

ଖାଉଛ ଛପନ ଭୋଗ।

ଜୀବନେ ଛପନ ପାଖୁଡା ସରିନି

ନେବାକୁ ଚାହୁଁଛ ଆଗ।


ହେ ବନ୍ଧୁ ବରେଣ୍ୟ, ତୁମ ଅପରାହ୍ନ

ଅପରାହ୍ନ ହୋଇ ରହୁ।

ଜୀବନରେ କେବେ ସନ୍ଧ୍ୟା ନ ଆସୁ

ରଜନୀ ଦୂରେଇ ଯାଉ।


ମୋ'ଆୟୁଷ ହେଉ ତୁମକୁ ପୀୟୂଷ

ମୋ'ପୁଣ୍ୟ ତୁମକୁ ଦେଲି।

ଅଜାଣତେ ଯେତେ ଅପକର୍ମ ଥିଲା

ମୋ'ନାମରେ ଲେଖିନେଲି।


ଈଶ୍ୱରଙ୍କ ନ୍ୟାୟ ସିଦ୍ଧ ଅଦାଲତେ

ମୋ'ଦୋଷ ସାବ୍ୟସ୍ତ ହେଉ।

ପ୍ରତି ବଦଳରେ ତୁମ ଅପରାହ୍ନ

ମଧ୍ୟାହ୍ନେ ବଦଳି ଯାଉ ।


Rate this content
Log in

Similar oriya poem from Tragedy