କେବେକେବେ ଅଝରା ବର୍ଷା ସହ
କେବେକେବେ ଅଝରା ବର୍ଷା ସହ
ଡ଼ଃ ମୌସୁମୀ ପରିଡ଼ା
ପଚାରୁଛ, କିପରି ବଂଚିଛି ମୁଁ ?
ଦିନ ଦିନ ଧରି ବିଛଣାରେ ବେଡସିଟ୍ଟେ ଭଳି
ଅପରିତ୍ୟକ୍ତ ହୋଇ, ଯନ୍ତ୍ରଣାକୁ କୋହରେ ବତୁରାଇ..
ଶୂନ୍ୟତାକୁ ଛାତିରେ ଜଡାଇ
ଅନ୍ଧାରକୁ ଭିଡି ଧରି ପଚାରିଛି ବିକଳରେ..
“ଆଣିଦେବୁ ମୋତେ ମୃତ୍ୟୁର ଶୀତଳ ସ୍ପର୍ଶ,
କ୍ଳାନ୍ତ ଶରୀରକୁ ଉତେଜନାରେ ଜଡାଇପାରିବୁ? ”
ମୋ ହାତକୁ ନିର୍ଦ୍ଧୟ ଭାବେ ଛିଂଚାଡି ଦେଇ
ସେ ଚାଲିଯାଏ ହସିହସି ।
କହେ-“ମୃତ୍ୟୁ କି ଏତେ ସହଜ?
ତା ପାଇଁ ବି ଦେବାକୁ ହୁଏ ଅଗଣିତ ଅଗ୍ନି ପରୀକ୍ଷା”!
ଜନ୍ମ / ମୃତ୍ୟୁ ଭିତରେ କୋଉଟା କଷ୍ଟକର ସତେ!
ଯୋଉଠି ଜୀବନ ବଂଚିବାକୁ ଦିଏନି
କି ମୃତ୍ୟୁ ଆଶ୍ଳେଷି ନିଏନି?
ତାରି ଭିତରେ ଭାଙ୍ଗିହେବାଟା ହିଁ ଦୁର୍ଭାଗ୍ୟ!
କେବେକେବେ ମନେପଡିଲେ ଖୋଜେ ନିଜକୁ,
କେବେ ବର୍ଷାଟୋପାରେ ତ
କେବେ କାକର ବିନ୍ଦୁରେ.. ।
ଲୁହର ଝଲକ ଦେଖିଛି
ସତେଜ ଫୁଲଙ୍କ ପାଖୁଡା ମେଳରେ ।
ହସର ଫୁଆରା ମାପିଛି
ପୋଡା ଅଙ୍ଗାରଙ୍କ ଗହଣରେ ।
ମୁଁ ବାରବାର ମରିବା ଶିଖିଛି ଜୀବନକୁ ଧରି!
ମରିବା ପରେ ବି ଜୀଇଁବା ଶିଖିଛି ।
ସନ୍ଦେହ ହେଲେ ଏ ଶୂନ୍ୟତାକୁ ପଚାରିବ-
କେତେବାର ନୀରବତା ସହିତ ଛଳନା କରିଛି!!
ଏସବୁ ବାଦ୍ ବି ମୁଁ ହସିବା ଜାଣିଛି!!