ଶେଷ କଥା
ଶେଷ କଥା
ଅନ୍ଧାରରେ ବାଡି ହଜାଇବନି ବୋଲି
ଗୋଟେ ଲୟରେ ଚାଲୁଥିଲା ସେ,
ବନ୍ଧା ଦଉଡିକୁ ଧରି..ବେଶ୍ ସନ୍ତର୍ପଣରେ ।
କାହା ସୁଖଦୁଃଖରେ ନଥିଲା ବୋଲି
ଲୋଡୁନଥିଲା ସାହାରା ।
ତେବେ ବି ପ୍ରତାରିତ ହେଉଥିଲା ସରଳତାର ଦାୟରେ..
ସମୟ ଭାଙ୍ଗୁଥିଲା ଖଣ୍ଡ ଖଣ୍ଡ କରି
ଟିକ୍ ଟିକ୍ କରି ଫିଙ୍ଗୁଥିଲା ସ୍ଥିତି
ଅସହାୟତାର ଫିମ୍ପି ଚରିଯାଇଥିଲା ମନସାରା,
ସବୁ ବାଗରେ ପ୍ରତିକୂଳତା ଯୋଗାଡୁଥିଲେ ସେମାନେ
ପାଦତଳୁ ମାଟି ଓ ମଥା ଉପରର ଆକାଶ ଲୁଟିବାକୁ..!!
ଖୁବ୍ ଭିଜିଲା ସେ ଲୁହରେ, ଲହୁରେ
ମୋହର ମହୁରେ..!
ଝଡକୁ କାନିରେ ବାନ୍ଧି ଘର ବନେଇଲା !
ଦୁଃଖକୁ ଚାବିନେନ୍ଥା କରି ଅଂଟାରେ ଝୁଲେଇଲା..।
ଅସାମର୍ଥ୍ଯକୁ ପାଦରେ ଦଳି
ଜୀବନକୁ ଭଲ ପାଇଲା ,
ଦୁଃସ୍ଥିତିକୁ ଆପଣେଇବାକୁ
ଶୂନ୍ୟତା ସହ ବୁଝାମଣା କଲା!..
ଏକଥା ବୁଝିବାକୁ ବାକି ନଥିଲା ଯେ
ସେ ସେକାହେବାକୁ ଥିବା ତାଜା ମଣିଷ,
ଅସୁରମାନଙ୍କ ତନ୍ଦୁର ଭାଟିର.!!
ହଜାର ବାଙ୍କ ବୁଲାଣି ପରେ ବି ଥକିନଥିଲା ପାଦ..
ମରିନଥିଲା ମନ ।
ସବୁ ବୈକଲ୍ୟ ଭିତରେ ସୁଖ ଥିଲା ଫୁଲ ପରି..
ଫୁଟି ପୁଣି ମଉଳିବା ପାଇଁ ..।
ହାତେ ମାପି ଆଂଗୁଳେ ଚାଲିବାରେ ବି
ଥିଲା ନିଆରା ଆନନ୍ଦ..
ଜୀବନକୁ ଜୀଇଁବାର ସନ୍ଧିରେ
ତଳକୁ ଫିଙ୍ଗିଦେବାର କୌଶଳ
ଜଣାଥିଲା ବୋଧେ ସେମାନଙ୍କୁ..
ସେ ପ୍ରତାରଣା ଆଗେ ଛନ୍ଦିହୋଇଗଲା ପାଦ
"ହେ ଈଶ୍ୱର" କହିବା ପୂର୍ବରୁ
ମାଟି ଉପରେ ପେଟେଇ ହୋଇପଡିଥିଲା ଜୀବନ !
ଏବେ ତନ୍ଦୁର ଭାଟିର କାମ ଶେଷ !
ମଣିଷ ଖିଆ ଅସୁରମାନଙ୍କ ପାଟି
ଲାଳେଇଯାଉଥିଲା ମାଂସର ପୋଡା ବାସ୍ନାରେ..।
ସରଳ ଲୋକର ସୁଆଦିଆ ମାଂସ ଏବେ ପ୍ରସ୍ତୁତ।
ବିଚରା ମଲା ପୂର୍ବରୁ
କହିଗଲା - ପ୍ରତାରକମାନଙ୍କୁ ଭଲ ରଖିଥା' ଠାକୁରେ..!
ଅସୁରମାନେ ଆଉ କେଉଁ ନିଆଁ ଭାଟିରେ
ସେକି ହେଉଥାନ୍ତୁ ..ମୋଠୁ' ଅଧିକ ଏମାନେ ପା'ନ୍ତୁ..
ଏ ଖାଲଠୁ ଆହୁରି ଗହିରିଆ ହେଉ ସେମାନଙ୍କ ପାଇଁ ଖୋଳାହୋଇଥିବା ଖାଲ !
ଆହୁରି ଦିକିଦିକି ଜଳୁଥାଉ
ସେମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଭାଟି !!