STORYMIRROR

Dr Mousumi Parida

Fantasy Others Tragedy

4.3  

Dr Mousumi Parida

Fantasy Others Tragedy

ମୁଁ - ଭିନ୍ନତାର ଏକ ସ୍ୱର

ମୁଁ - ଭିନ୍ନତାର ଏକ ସ୍ୱର

2 mins
478


ହୁଁ

ସେଇଠି ଥିବି ମୁଁ , କାଳକାଳ ଧରି,

ଅପରିବର୍ତ୍ତିତ, ଅନାହୁତ, ଅବିଚଳିତ, ହୋଇପାରେ ଅବାନ୍ଛିତ ବି।

ହଁ ସେଇଠି ..ଯୋଉଠି ଭେଟିଥିଲ ବହୁବର୍ଷ ପୂର୍ବେ।

ସେତେବେଳେ ମଣିଷର ରକ୍ତ ଲାଲ୍ ଥିଲା

ସେ ହସିଲେ ଫୁଲ ବାସୁଥିଲା, ସମୟ ଝୁଂଟୁଥିଲା

ଆଜିକାଲି ବାରୁଦର ଗନ୍ଧ ତା କଥାରେ ହସରେ

ସେ ରଚୁଥିବା ପ୍ରତିଟି ବ୍ୟୁହରେ !

ଦେଖିଚି ଏ ମ୍ଳାନ ଆଖି ଭାଂଗିକି ଯୋଡିବାର,

ମରିକି ଜୀଇଁବାର ପୁଣି କଂକାଳ ହୋଇ ନାଚିବାର.. !

ଜାଣିଚି କେତେଜଣ ଆଗେଇଗଲେ ପାହାଡରେ ସୁଡଂଗ ଖୋଳି,

ସୁଅ ଭାଂଗି, ନିଆଁରେ ପୋଡିହୋଇ , ବରଫ ପାଲଟି!!

ନା ମୁଁ ଯାଇପାରିନି ସେଯାଏଁ

ଏଇଠି ତୋଳିନେଇଛି ଭିନ୍ନ ଏକ ତପୋଭୂମି !

ଧୂଳିରୁ ପଥର କି ଗଛ ହୋଇହୁଅନ୍ତା ଯଦି..

ନିର୍ବିବାଦରେ ଛିଡାହେବା ସହଜ ହୋଇଥାନ୍ତା

ତେବେ ଧୂଳିକଣା ହେବା କଷ୍ଟକର ନୁହେଁ ଏତେ

ସାହସ ଓ ସାମର୍ଥ୍ୟ ଥିଲେ ସିନା...!

ପାଣି ପରି ତଳକୁ ନିଗିଡି କାୟା ବଦଳାଇବା

ନାଗୁଣୀ ପରି ବିଷଦାନ୍ତ ଗଳେଇ

ମୋହିନୀର ମାୟା ରଚି ମନ୍ତ୍ର ଫୁଂକିବା ହୋଇପାରିଲାନି ମୋ ଦେହି !

ନା ହେଲାନି !

ଅନୁଭବିଛି ଧୂଳିମାନେ ପର୍ବତ ହେବା ଆଗରୁ ଉଡୁଥିଲେ ଆକାଶରେ..

ଫୁଲ ଓ ଭଅଁର ..ନିଆଁ ଓ ପାଣି, ଅନ୍ଧାର ଆଲୁଅ

ସମସ୍ତଂକ ସହ ସନ୍ଧି କରି ଗୁଡେ ସ୍ଥାବର ଅସ୍ଥାବର ସଂପତ୍ତିକୁ କବ୍ଜା ନେଇଥିଲେ !

ପବନକୁ ତାଲା ପକେଇ ସିନ୍ଧୁକ ଭିତରେ ରଖି

ଲେଖିଦେଇଥିଲେ "ଦୁଷ୍ଟ ପ୍ରେତାତ୍ମା" !!

ସେମାନଂକ ପାଦ ଚିହ୍ନ ବଦଳି ଯାଉଥିଲା ଜୀବଜନ୍ତୁ,

ପଶୁପକ୍ଷୀ, କୀଟମାନଂକ ପାଦଚିହ୍ନରେ..

ହଁ ସବୁ ମନେଅଛି !

ହେଇ ଦେଖ, ସେମାନେ ପାରହୋଇଗଲେଣି କେତେ ଖୁଂଟ,

କେତେ ନଦୀ ଓ କେତେ ଯୋଜନ ଦୂରତ୍ୱ..ବେହିସାବ ସବୁ !

ହିସାବ ବି କରନା।

ଏବେ ଛୋଟ ଟେକାଟେ ପରି ଦିଶୁଛନ୍ତି!

କେହି କେହି ଜମା ବି ଦିଶୁନାହାନ୍ତି

ବୋଧେ ସବୁଠୁ ଆଗରେ,

ନଜର ବି ଯୋଉଠି ହାରେ !!

ପାଣି ପରି କାୟା କି ଛାୟା ବଦଳାଇପାରୁନଥିବା

ନିଜ ସହ କିଛି ଚୁକ୍ତିର ଏରୁଣ୍ଡିବନ୍ଧକୁ ପାର୍ ହେବାର ସାମର୍ଥ୍ଯ ରଖିନଥିବା

କିମ୍ବା ଭାବିନିଅ

କାହା ଆଖିରେ ଖୁ୍ଂଚି ହେଉନଥିବା ଧୂଳିକଣାକୁ

ପବନ ବି ଭୁଲିଯାଇଛି ଉଡେଇନେବାକୁ,

ପାଣି ବି ଛୁଇଁବାକୁ ମନାକରିଛି ..

ସୂର୍ଯ୍ୟଂକ ଉତ୍ତାପ କିନ୍ତୁ ଚେଷ୍ଟା କରି ଜାଳିପାରିନି!

କାହା ପାଦକୁ କ୍ଷତ ହେବନି ବୋଲି ସେଇଠି ସେମିତି ଜମିଯାଇଛି ବର୍ଷ ବର୍ଷ,

ସାକ୍ଷୀ ହୋଇ କିଏ କେତେବେଳେ ଅତିକ୍ରମ କଲା କେତେ ଦୂର ଉଡିଲା..

ଛିଣ୍ଡିଲା କି ନା କୋଉଠି

ଅଟକିଗଲା ସବୁ ହିସାବ ନେଇ..।

ସେମାନେ ଜୀଉଁଥାନ୍ତୁ ତାଂକ ଭାଗର ଅଢେଇଦିନିଆ ଜୀବନ

ଅନ୍ତତଃ ନିଜ ବିବେକ ସହ

ଆଖି ମିଶେଇ ପାରିବାର ସ୍ପର୍ଦ୍ଧା

ଆଇନାରେ ନିଜକୁ ଦେଖି ବିହ୍ୱଳିତ ହେଉଥିବା ମନର

ସେ ବିଶୁଦ୍ଧ ମନ୍ତ୍ର ମାପୁଥାଉ ନିଜ ଭିତରର ସ୍ୱଚ୍ଛତାକୁ-

"ନିଜକୁ ନିଜ ପରି ଓ ନିଜ ସର୍ତ୍ତରେ ଜୀଇଁବା କଣ ସହଜ ଯେ !

କାହା ଦୟାର ପାତ୍ର ହେବା କଣ କମ୍ ଅପମାନ" !

ଏ ବି ନିଜଭିତର ର ଗୋଟେ ନିଆରା ଖୋଜ୍,

ଯାହାପରେ ଆଉ ଖୋଜିବାକୁ ପଡେନି ଗୋଟେ ଛଳନାଭରା ବିଷାକ୍ତ ଓ ଅଭିଶପ୍ତ ସକାଳକୁ !

ଅନ୍ଧାର ହି ଯଥେଷ୍ଟ ବାଟଟେ ତିଆରି କରିବାକୁ !!

( ଡ. ମୌସୁମୀ ପରିଡା । ମାର୍ଫତ / ଡା ସାରଦା ପ୍ରସନ୍ନ ସ୍ୱାଇଁ। ଜଗତସିଂହପୁର ଚିକିତ୍ସାଳୟ ପରିସର। କ୍ୱା.ନଂ -୩ ଆର /୪। ଜଗତସିଂହପୁର। ଓଡିଶା )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy