ବିଧ୍ୱସ୍ତ ଜଗତରେ ଈଶ୍ୱର
ବିଧ୍ୱସ୍ତ ଜଗତରେ ଈଶ୍ୱର
ଈଶ୍ୱର କାନ୍ଦନ୍ତି !
ଈଶ୍ୱର ଭାଙ୍ଗନ୍ତି!
ଈଶ୍ୱର ମରନ୍ତି !!
ଏ ଯେଉଁ ଧ୍ୱଂସଲୀଳା ସଂଘଟିତ,
ସେ କଣ ଖାଲି ଜୀବର, ଈଶ୍ୱରଙ୍କ ନୁହେଁ ?
ହୁଏତ ଏ ଧ୍ୱଂସର ଶେଷତମ ପର୍ଯ୍ୟାୟରେ
'ପୁନଶ୍ଚ ଜୀବନ'ର ଆଭାସ ଥାଇପାରେ ନହେଲେ ଈଶ୍ୱରଙ୍କ ମର୍ଜି..।
କାନଡେରି ଶୁଣ ସେମାନଙ୍କୁ !
ଭିନ୍ନ ଭିନ୍ନ ମରଣକୁ ଅନୁଭବ କର.
ଫାଶି ଖୁଣ୍ଟର ଲାସ୍ ପରି ଗୋଟେ ପାଖକୁ ଝୁଲିପଡିଛି କା'ର ବେକ,
ଅଣ୍ଟା ନଇଁପଡିଛି ଯୌବନର, କବନ୍ଧ ପରି ଧରାଶାୟୀ ଜୀବନ ।
କିଛି ଅସହାୟତା ଶୂନ୍ୟରେ ଝୁଲୁଚି
ହତଭାଗାମାନଙ୍କ ଦୁର୍ଭାଗ୍ୟ ପରି !
ମକ୍ଚି ହୋଇଥିବା ବେକକୁ ଧରି
ତେବେ ବି ଶିରଶିରେଇ ଉଠୁଚି ଚେରହୀନ ଗଣ୍ଡି।
ଶବମାନଙ୍କ ରୋଷଣୀ ଗାଁଠୁ ସହରଯାଏଁ.. ଆକାଶ ଥମ୍ ଥମ୍, ସମୁଦ୍ର ଶାନ୍ତ, ପବନ ଗୁମସୁମ୍
ଝଡ ପରର ନୀରବତା ବି କୋଳାହଳମୟ , ଧ୍ୱଂସର ବିଭୀଷିକା ବି ମର୍ମନ୍ତୁଦ !
ଏ ଗଛମାନଙ୍କୁ କିଏ ହତ୍ୟା କରିଛି !
ଚିହ୍ନିଛ ସେ ଆସାମୀକୁ ! କାରାରୁଦ୍ଧ କରିପାରିବ !
ଲଗାଇ ଦେଇପାରିବ ଦଣ୍ଡ.. ଧାରା ?
କୋଉ ପାପର ପ୍ରାୟଶ୍ଚିତ କରନ୍ତି ଏ ଦେବଦୂତ ମାନେ ଗଛମାନଙ୍କ ରୂପରେ !
ତୁମେ ୟାକୁ ମରଣ କୁହ..ମୁଁ କିନ୍ତୁ କହେ ନୂଆ ଜୀବନ
ମରଣକୁ ଯେ ଜିତିଥାଏ, ତା'ର କି ପରାଜୟ ! ଅପେକ୍ଷା କର ଦେଖିବ,
ଭଙ୍ଗା ଡାଳରୁ କଅଁଳିବ ପତ୍ର, ଉପୁଡା ଚେରରୁ ମଥାନ ଟେକିବ ଡାଳ..!
ସେମାନେ ମରିପାରନ୍ତିନି..।
ବିରାମ କେବଳ କିଛି କ୍ଳେଶର..
ମରିଯାଇଥିବା କିଛି ବିଶ୍ୱାସର, କ୍ଲାନ୍ତି ହରଣ ପାଇଁ..ବିଶ୍ୱାସ କରିବ ଯଦି କର
ଈଶ୍ୱର କାନ୍ଦନ୍ତିନି, କାନ୍ଦେ ବିବେକ
ଈଶ୍ୱର ଭାଙ୍ଗନ୍ତିନି, ଭାଙ୍ଗେ ଦର୍ପ
ଈଶ୍ୱର ମରନ୍ତିନି, ମରନ୍ତି ଅସରନ୍ତି ଅଅହଙ୍କାରର..
ପାରିବ ଯଦି ଗୁଡେ ଦାନବତ୍ୱ ସହ ଲଢ
ଅଅହଙ୍କାରରକୁ ମନ୍ଥ, ନିଜ ଅପାରଗତାକୁ ଚିହ୍ନ..
ଆଖପାଖର ନିର୍ଜନତା ସହ ଆଖି ମିଶାଇ
କାନଡେରି ଶୁଣ ସେ ଚରମବାଣୀ, ତୁମ କର୍ମ ଫେରିଆସିଚି ସୁଧମୂଳ ସହ..
ସ୍ୱାଗତ କର..ସ୍ୱଅର୍ଜିତ ପାପ ଫିଙ୍ଗିଲେ ବି ଯାଏନି..
ପୂଣ୍ୟ ଭଳି ଖୁବ୍ ନିଜର
ଏତିକି ତ ଶେଷରେ ନେଇଯିବାକୁ ହେବ ସାଙ୍ଗରେ..
ବାକି ସବୁ ମିଛ..ଛଳନାମୟ...
ତା' ଭିତରେ ଏକମାତ୍ର ସତ୍ୟ ଈଶ୍ୱର ,
ଯେ କେବେ କାନ୍ଦନ୍ତିନି, ଭାଙ୍ଗନ୍ତିନି କି ମରନ୍ତିନି !!