ବୋଉ !
ବୋଉ !
ବୋଉ ଲୋ ! ସଂସାର ବନ୍ଧନ ଛିଡାଇ
ନୂଆ ରାଇଜକୁ ଗଲୁ ଚାଲି ।
ମିଞ୍ଜି ମିଞ୍ଜି କୁଆଁତାରା ଗହଣରେ
ହଜି ଯାଇ ମୋତେ ଗଲୁ ଭୁଲି ।
କେମିତି ଭୁଲିବି ସେଇ ପିଲା ଖେଳ
ପଣତ କାନିରେ ବିତିଥିଲା ।
ତୁ ଚାଲିଗଲୁ, ସବୁ ଖେଳ କଥା
ସ୍ମୃତି ହୋଇ ଖାଲି ରହିଗଲା ।
ନାଲି ଓଢଣୀରେ କୁଳ ବହୁ ସାଜି
ଅଗଣାରେ ପାଦ ଥାପିଥିଲୁ ।
ସେଇ ଅଗଣାକୁ ପର କରିଦେଇ
ମଶାଣିକୁ ନିଜେ ଚାଲିଗଲୁ ।
ଆସିବା ବେଳକୁ ହସର ଜୁଆର
ଆମ ଅଗଣାରେ ଖେଳିଥିଲା ।
ଗଲାବେଳେ ଖାଲି ଲୁହର ସାଗର
ଗାଁ ଦାଣ୍ଡ ଧୂଳି ଧୋଇ ଦେଲା ।
କେଉଁ ରୂପେ ତୋ'ର ଗୁଣ ମୁଁ ଗାଇବି
ସବୁଥିରେ ଥିଲୁ ଗୁଣବତୀ ।
ତୋ'ରି ଶରଧାରେ ତୋ'ରି ପରଶରେ
ହସୁଥିଲା ନିତି ସଞ୍ଜବତୀ ।
ସକାଳୁ ସକାଳୁ ସୁମଧୁର କଣ୍ଠେ
କୋଇଲି ତୋ' ଗୀତି ଗାଉଥିଲା ।
ମଶାଣି ଯିବାରୁ କୋଇଲି ବୈକୁଣ୍ଠ
ହାତ ଠାରି ତୋତେ ସ୍ୱାଗତିଲା ।
ବାପାଙ୍କ ଭାଗ୍ୟରେ ଲକ୍ଷ୍ମୀ ପ୍ରତିମା ତୁ'
ମୋ'ପାଇଁ ଥିଲୁ ତୁ ସରସ୍ୱତୀ ।
ଗାଁ ସାରା ତୋତେ ଝୁରି ହେଉଛନ୍ତି
କାହିଁ ଗଲେ ଆମ ବସୁମତୀ ।
ସେନେହ, ଶରଧା,ମମତା,କରୁଣା
ନ ଥିଲା ତୋ'ଠାରେ କିଛି ଉଣା।
ଅଜା,ଆଈ, ବନ୍ଧୁ ବାନ୍ଧବଙ୍କ ପାଇଁ
ବୁଦ୍ଧିରେ ଥିଲୁ ତୁ ବିଚକ୍ଷଣା ।
ଗାଁ ଦାଣ୍ଡ ଆଜି ଝୁରି ହେଉଅଛି
ତୋ' ହାତର ଛେରା ମହକକୁ ।
ପୋଖରୀ ତୁଠ ବି ବାହୁନି ହେଉଛି
ତୋ' ପାଦ ପାଉଁଜି ସୁର ଟିକୁ ।
ନାଇଁ ଲୋ ମୋ' ବୋଉ, ଆପଣା ପଣିଆ
ସବୁ ଲାଗେ ଖାଲି ପର ପର ।
କାହାକୁ କହିବି ମୋ'ମନର କଥା
ଗାଁ ଲାଗେ ମୋତେ ଛାରଖାର।