STORYMIRROR

Arati Sahoo

Tragedy

3  

Arati Sahoo

Tragedy

ବାପାଙ୍କ ପାଖକୁ ଚିଠି

ବାପାଙ୍କ ପାଖକୁ ଚିଠି

1 min
25.4K


ବାବା ସମ୍ମାନିତ ହେଲି ଆଜି,

ଅଶୋକ ଚକ୍ର ମୁଁ ଲାଭ କଲି।

ତୁମଠାରୁ ନିର୍ଭୀକତା ଶିଖି,

ସୀମାନ୍ତରେ ରଣେ ରତ ହେଲି।

ଅନୁଶାସନର କଠୋରତା,

ସ୍ମୃତି ରେ ଆସଇ ମୋର ଯେବେ।

ପିତୃ ହୃଦୟର କରୁଣତା,

ମାନସେ ଭାସଇ ମୋର ତେବେ।

ବିଦ୍ୟାଳୟେ ଯିବି ନାହିଁ ବୋଲି,

ବୋଉ କାନି ଧରି କାନ୍ଦୁଥିଲି।

ବେତ ଟିଏ ନେଇ ଆସିଥିଲ,

ମିଛରେ ପାହାର ଦେବ ବୋଲି।

ପଣକିଆ ଭୂଲ ହେଲା ବୋଲି,

ଧୀରେ କାନକୁ ମୋ ମୋଡି଼ଥିଲ।

ବୋଉ କହୁଥିଲା ମୋ କାନକୁ,

ରାତିରେ ଆଉଁସି ଦେଉଥିଲ।

ସାଙ୍ଗମେଳେ ଆମ୍ବତୋଟା ମଧ୍ୟେ,

କରୁଥିଲି ମୁହିଁ ଆମ୍ବଚୋରି।

ହାତ ଗୋଡ଼ ବାନ୍ଧି ରଖିଥିଲ,

ବୋଉକୁ କହିଲ ଦେବୁ ଖୋଲି।

ସାମରିକ ପ୍ରତିଯୋଗିତାରେ,

ଉତ୍ତୀର୍ଣ୍ଣ ମୁଁ ଯେବେ ହୋଇଥିଲି।।

ମଥାରେ ଆଶୀଷ ଢାଳି ଥିଲ,

ସ୍ୱପ୍ନ ତୁମ ପୂର୍ଣ୍ଣ ହେଲା ବୋଲି।

ପ୍ରଶୀକ୍ଷଣ କଠୋରତା କୁ ମୁଁ,

କରି ନ ପାରିଲି ସହ୍ୟ ଯେବେ।

ଅଧା ରଖି ପ୍ରଶୀକ୍ଷଣ ମୁହିଁ,

ପଳାଇଣ ଆସି ଥିଲି ତେବେ।

ବାହ୍ୟ କଠୋରତା ଦେଖାଇଣ,

ଦେଇ ଥିଲ ମୋତେ ଘରୁ ତଡି଼।

କେତେ ଦଗ୍ଧିଭୂତ ହୋଇ ଥିବ,

ହୃଦୟ ତୁମର ମୋତେ ଛାଡ଼ି।

ସୂର୍ଯ୍ୟ କିରଣର ପ୍ରଖରତା,

ଜଳକୁ ତପାଇ ଦିଏ ଯେବେ।

ନଭମଣ୍ଡଳରୁ ଝରି ପଡେ,

ସୁଶୀତଳ ବୃଷ୍ଟି ଧାରା ଭାବେ।

ଅଗ୍ନିରେ ସ୍ୱର୍ଣ୍ଣକୁ ତପ୍ତ କଲେ,

ରୂପ ନିଏ ସେ ତ କାଞ୍ଚନର।

ତୁମ କଠୋରତା ବାବା ମୋତେ,

ଦେଲା ଆଖ୍ୟା ବୀର ସୈନିକର।

ସଫଳ ହୋଇଛି ତୁମ ସ୍ୱପ୍ନ,

ବାବା ତୁମେ ସରଗରୁ ଦେଖ।

ଜନ୍ମଭୂମି ପାଇଁ ରଣ କରି,

ରଖି ପାରିଛି ମୁଁ ତୁମ ଟେକ।


ଆରତୀ ସାହୁ(ଆଶା)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy