STORYMIRROR

Pritipriya Mohanty

Tragedy

3  

Pritipriya Mohanty

Tragedy

ମୃତ୍ୟୁକୁ ବିଶେଷ ଅନୁରୋଧ

ମୃତ୍ୟୁକୁ ବିଶେଷ ଅନୁରୋଧ

1 min
27.5K


ପ୍ରୀତିପ୍ରିୟା ମହାନ୍ତି


ପୂର୍ବାଭାଷ ଦେଇ ଆସିବାକୁ ମୃତ୍ୟୁ

ଛୋଟ ଅନୁରୋଧ ମୋର,

କାହିଁକି ଏମିତି ଚାହିଁଲି ଯେ ମୁହିଁ

କାରଣ କହୁଛି ତା'ର।


ତୋଷକ ବିନା ମୁଁ ନିଦ୍ରା ଯାଏ ନାହିଁ

ଚଟାଣେ ପାରେନା ଶୋଇ,

କେମିତି ଶୋଇବି ତୁମ ଅଙ୍କେ ମୃତ୍ୟୁ

ସେ କଥା ମନେ ଭାଳଇ।


ଦାମିକା ପଲଙ୍କ ମଖମଲ ଶେଯ

ଖୋଜା ପଡେ ମୋ'ରି ପାଇଁ,

ପାଳ ଦଉଡିଆ ବାଉଁଶ ଖଟରେ

ଶୋଇ ମୁଁ ପାରିବି ନାହିଁ।


ଜଣାଇ ଆସିଲେ ଅଭ୍ୟାସ କରନ୍ତି

ସାମ୍ନା କରିବାକୁ ସତ,

ଆରାମଦାୟକ ନିଦ୍ରା ଯିବା ପାଇଁ

ହୁଅନ୍ତି ପୂର୍ବ ପ୍ରସ୍ତୁତ।


ଏମିତି ବି ଦିନ ଆସିବ ଜୀବନେ

ଏ କଥା ସତ ନିଶ୍ଚୟ,

ତୁମ ଅଙ୍କେ ମୃତ୍ୟୁ ଥିବି ମୁହିଁ ଶୋଇ

ଥିବ ଅନଳ ବଳୟ ।


ଦେଖିଲେ ଅନଳ ମାନସରେ ମୋର

ଉଙ୍କଇ ଅଜଣା ଭୟ,

ପୂର୍ବରୁ ସୂଚନା ଦେଇ ଆସନ୍ତ କି

ହୁଅନ୍ତି ଟିକେ ନିର୍ଭୟ।


ଉତ୍ତରୀୟ କେବେ ଖସିଲେ ଅଙ୍ଗରୁ

ରୋଷ କରି ବସେ ମନ,

କେବେ ରୋଷ ତା'ର ନିଜ ଉପରେ ତ

ପରିସ୍ଥିତି ପୁଣି ପବନ।


କିଏ ଜାଣେ ତମେ ଆସିବାବେଳେ ମୁଁ

ଥିବି କାଳେ ଅନାବୃତ,

ହାତ ଗୋଡ଼ ଚଳୁ ଥିବ କି ନାହିଁ

ଢାଙ୍କିବାକୁ ମୋ ମହତ।


ଆସିବା ଆଗରୁ ଜଣାଇ ଆସିବ

ରହିଲା ତୁମକୁ ରାଣ,

ଆପାଦ ମସ୍ତକ ଆବୋରି ଥିବି ମୁଁ

ଶକ୍ତ ଏକ ଆବରଣ।


ଦାୟିତ୍ୱ,କର୍ତ୍ତବ୍ୟ ସାରିଦେବି ସବୁ

ନ ରଖିବି କିଛି ବାକି,

କେହି ନ କହିବ ମୃତ୍ୟୁ ସହ ଦେଖ

ଚାଲିଗଲା ଦେଇ ଠକି।


କାହା ଆଗେ ମୁଁ ଯେ ହେଉଛି ନେହୁରା

ନାହିଁ ଯା' ସମୟଜ୍ଞାନ,

ସଞ୍ଜ କି ସକାଳ,ଧନୀ କି ଦରିଦ୍ର

ମାନେନା ଯେ ରାତିଦିନ।


ପ୍ରତିଷ୍ଠିତ ହେଉ ଅବା ଅପ୍ରତିଷ୍ଠ

ରାଜା,ପ୍ରଜା,ମନ୍ତ୍ରୀ, ନେତା,

ଅନୁରୋଧ କି' ବା ଆଦେଶ ମାନେନା

ଜଳାଏ ନିଶ୍ଚେ ସେ ଚିତା।


ତଥାପି ହେ ମୃତ୍ୟୁ ଜଣାଇବ ମତେ

ତବାଗମନ ଖବର,

ହୋଇବି ପ୍ରସ୍ତୁତ ଯିବା ପାଇଁ ମୁଁ ଯେ

ଅନୁରୋଧ ରକ୍ଷା କର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy