ଭୋଟ୍ ଦେବା କୋଉଠି?
ଭୋଟ୍ ଦେବା କୋଉଠି?
ଭୋଟ୍ ଦେବା ସେଇଠି ଭାଇ
ଯିଏ ପ୍ରକୃତ ପ୍ରାର୍ଥୀ,
ଯିଏ ଚଳେଇ ପାରିବ ରାଜ୍ୟ
ଲୋକଙ୍କୁ ସେବା ବାଣ୍ଟି।
ରାଜ୍ୟ ମର୍ଯ୍ୟାଦା ରଖିବ ଯିଏ
ପ୍ରଜାଙ୍କୁ ସୁଖ ଦେବ,
ସମଭାବରେ ସଭିଙ୍କୁ ନିଜ
ଆପଣା ଭାବୁଥିବ।
ସୁଖ ଦୁଃଖରେ ଠିଆ ହୋଇବ
ପାଖରେ ଯିଏ ଆସି,
ମଧୁର ବାକ୍ୟେ ଆମଙ୍କୁ ଯିଏ
ତୋଷିବ ହସିହସି।
ନ ଥିବ ମନେ ଆସନ ପଦ
ବସିବା ଅହଂକାର,
ସିଏ ନିଶ୍ଚୟ ହୋଇବ ଆମ
ପ୍ରକୃତ ସରକାର ।
ଦେଇ ଜାଣିବ ନେବା ଭୁଲିବ
ତେଣୁ ସେ ହେବ ନେତା,
ଦେଶବାସୀଙ୍କ ହାନୀ ଲାଭରେ
ପୁରାଉଥିବ ମଥା।
ଜନତା ହିତେ ଯେ ଦେଇ ପାରେ
ସ୍ଵାର୍ଥକୁ ଜଳାଞ୍ଜଳି,
ସେ ହୋଇପାରେ ଜନନାୟକ
ତା'ପାଇଁ ପୂଜାଥାଳି।
ଦେଶର ମାନ ଦେଶର ଧନ
ଦେଶର ସ୍ଵାଭିମାନ,
ଯିଏ ଉନ୍ନତି କରି ପାରିବ
ସିଏ ହୋଇବ ଧନ୍ୟ।
ଭୋଟ୍ ଅଟେ ମୋଟ୍ଉପରେ
ବ୍ୟକ୍ତି ହୃଦୟ ପ୍ରେମ,
ସେହି ପ୍ରେମର ମୂଲ ବୁଝିବା
ନେତାଟିଏର ଧର୍ମ।
ରାମ ରାଇଜ ପ୍ରତିଷ୍ଠା ହେବ
ନେତା ହୋଇଲେ ସ୍ଵଚ୍ଛ,
ଜନତା ଯଦି ସାବ୍ୟସ୍ତ କରେ
ନିଜ ଉଚିତ ମତ।
ଯୋଜନା ଇସ୍ତାହାର ପ୍ରଚାର
ଅନେକ ପ୍ରତିଶ୍ରୁତି,
କାର୍ଯ୍ୟେ ପୂରଣ କରିବା ହେଲା
ନେତାମାନଙ୍କ ନୀତି।
ଆସନ ପାଇ ପଡ଼ିଲେ ଶୋଇ
ଦେଶ ତଳକୁ ଯିବ,
ତେଣୁ ନେତାଙ୍କ ଦାୟୀତ୍ବ ଜନ
ହିତେ ସମୟ ଦେବ।
ଏହି କେତୋଟି ଗୁଣ ଆଦରି
ଧରି ଶାସନ କଳ,
ଯିଏ ଆମକୁ ଚଳେଇ ନେବ
ସେ ହେବ ସରକାର।
ଏ ଅଟେ ଆମ ଇସ୍ତାହାରଟି
ଶୁଣ ହେ ପ୍ରାର୍ଥୀଗଣ,
ଆମ ଗ୍ୟାରେଣ୍ଟି ନ ନେବୁ କିଛି
ତୁମ ଦାତବ୍ୟ ଧନ।
ତୁମେ କି ଯୋଗ୍ୟ କିବା ଅଯୋଗ୍ୟ
ଆଗକୁ ଜଣାଯିବ,
ଆମର ମତ ଉପରେ ତୁମ
ନିର୍ଭର କରେ ଭାଗ୍ଯ।।