ଶେଷ ଯାତ୍ରାର ବନ୍ଧୁ
ଶେଷ ଯାତ୍ରାର ବନ୍ଧୁ
କରୋନା ଆସିଲା
ସର୍ବତ୍ର ବ୍ୟାପିଲା
ଶିଶୁ ଯୁବା ବୃଦ୍ଧ ଛାଡ଼ି ନାହିଁ,
ଶବ ପଡ଼ିଗଲା
ମୁଣ୍ଡ ଗଡ଼ିଗଲା
ବନ୍ଧୁ ପରିଜନେ ଜଣାନାହିଁ l
କେବେ ମୃତ ହେଲେ
ଜ୍ଞାତ ନାହିଁ କାରେ
ଶ୍ମସାନରେ ଗଲେ ଦାହ ହୋଇ
ପିତାର ସମୀପେ
ସ୍ତ୍ରୀ ପୁତ୍ର ନାହାନ୍ତି
ଶେଷ ଦରଶନ ହେବ ଯାଇ l
ଜ୍ଞାତି ଓ କୁଟୁମ୍ବ
ସଖା ସହୋଦର
ମୃତ୍ୟୁବେଳେ ଏକା ହେବେ ଆସି
ଆଶ୍ବସନା ଦେବେ
ପରିବାର ବର୍ଗେ
ମଧୁର ଶବ୍ଦେ ଦେବେ ଆଶ୍ୱସୀ ।
ଗାଆଁ ବନ୍ଧୁ ଠାରୁ
ଦୂର ବନ୍ଧୁ ଯାଏ
ଚାରୋଟି କାନ୍ଧ ବୋହିଲେ ନାହିଁ
କରୋନା ଭୟରେ
ଦୂରେ ରହି ସର୍ବେ
କାହା ମୁଖ କେ ଚାହିଁଲେ ନାହିଁ l
ମାନବ ସମାଜେ
ଶେଷ ଇଚ୍ଛା ଥାଏ
ନିର୍ମାଲ୍ୟ ତୁଳସୀ ଜଳେ ଆଶ
ହାଏରେ ବିଧାତା
କାହିଁ ଗଙ୍ଗାଜଳ
ସର୍ବତ୍ର ମୋ ଜୀବଟି ନିରାଶ ।
ସୀମନ୍ତ ସିନ୍ଦୁର
ହସ୍ତର କଙ୍କଣ
କାଳାନଳରେ ଭସ୍ମ ହୋଇଲା
ମାଆ ଅଙ୍କ ଶୂନ୍ୟ
ପାରିବାରେ ଶୋକ
ଦଶ ଦିଗେ ତାଣ୍ଡବ ରଚିଲା l
ଘଟ ଶୂନ୍ୟ ହେଲା
ବାସ ଶୂନ୍ୟ ହେଲା
ସର୍ବତ୍ର କ୍ରନ୍ଦନ ରୋଳ ଶୁଭେ
ପୁତ୍ର ଠାରୁ ପିତା
କନ୍ୟା ଠାରୁ ମାତା
ଇହ ଧାମଠୁ ବିଦାୟ ନଭେ l
ନାତି ଦୀପ ହାଣ୍ଡି
ଦେଖାଏନା ମାର୍ଗ
ମୁକ୍ତି ଦ୍ୱାର ନୋହିଲା ଦର୍ଶନ
ପ୍ରୟୋଜନ ନାହିଁ
ମୁଖାଗ୍ନିର ଆଜି
ପଲିଥିନ ଶେଜରେ ଶୟନ l
ନାହିଁତ କୋକେଇ
ବାଦ୍ୟ ନାଦ ସାଥେ
ଶେଷ ବିଦାୟ ଦୃଶ୍ୟର ଶୋକ
ହାନାଥ ହାନାଥ
ହୃଦୟ କାନ୍ଦଇ
ଖଇ କଉଡ଼ି ବିଞ୍ଚା ସନ୍ତକ l
ଗାଆଁ ଦାଣ୍ଡ ଧୂଳି
ଗାଆଁ ମଶାଣୀରେ
ସ୍ଥାନ ଆଜି ଶେଷେ ନାହିଁ ମୋର
ଅସ୍ଥି ଖଣ୍ଡିକର
ଗଙ୍ଗାରେ ପ୍ରବାହ
ସ୍ବପ୍ନଟି ହୋଇଲା ସବୁ ଦୂର l
ଗାଆଁ ଶ୍ମଶାନକୁ
ମିଲିଣ ସରବେ
ବିଦାୟ ଦେବେ ମିଳିତ ହୋଇ
ନାହିଁ ରାମ ହରି
ନାମର ଶବଦ
ବୈକୁଣ୍ଠ ପୁରେ ଜୀବ ନଯାଇ l
ନାହିଁ ମଶାଣିରେ
ଜାଗା ପୋଡିବାକୁ
ଶବର ଧାଡି ଲମ୍ବି ଲମ୍ବି ଗଲା
ସାଇକେଲ ଆଉ
ମଟର ଯାନରେ
ଶବ ବୋହି ବୋହି ନିଆଗଲା l
ଦୋ ଛକି ରାସ୍ତାରେ
ଶବ ଓଲଟାବା
କାଳ ସମୀପେ ବନ୍ଧା ପଡିଲା,
ଚାରି ସ୍କନ୍ଧ ଆଜି
ମିଳୁନାହିଁ ଭାଇ
ଯମ ଦୂତ ଉପହାସ କଲା l
କାହା ଶବ ପଡ଼େ
ରାଜ ରାସ୍ତା କଡ଼େ
କିଏ ତ ଅଳିଆ ଗଦା ତଳେ,
ମଣିଷ ବଦଳେ
ଜେସିପି ବୋହିଲା
ଶ୍ମସାନେ କୁଢ଼ କୁଢ଼ ଶବ ଜଳେ l
ଜନମ ହୋଇଛୁ
ମରିବା ନିଶ୍ଚୟ
ପ୍ରଭୁ ଠିକ ବେଳେ ନେଇ ଯାଅ
ଆୟୁଷ ପୂରିନି
ତାଙ୍କୁ ନେଉଅଛ
କି ବିଚାର ତୁମ୍ଭେ ଆଜି କୁହ ।
ହେ ସୃଷ୍ଟି କରତା
ତୁମ୍ଭର ସୃଷ୍ଟିରେ
ଅବିଚାର କିପରି ହୋଇଲା
ଧର୍ମ କର୍ମ ଭୂମି
ଏ ମାଟିରେ ଦେଖ
ଅନ୍ୟାୟ ପାପ ଦତ୍ୟ ଗ୍ରାସିଲା l
ବଂଶ ପରମ୍ପରା
ଗାଆଁ ଶ୍ମଶାନ ମୋ
କେହି ଦେଲେ ନାହିଁ ଆଜି ସ୍ଥାନ
ଛଅ ଖଣ୍ଡ କାଠ
ସବାରି ସାଥିରେ
ଗଲା ନାହିଁ ତୋର ମୁଢ ମନ ।
ମାଟିର ଗରଭ
ଅବା ଚିତାଗ୍ନିରେ
ଲୀନ ହେଲାନି ମୋହରି କାୟା
ବନ୍ଧୁ ଜଣଙ୍କର
କାଠ ଖଣ୍ଡିକରେ
ପ୍ରଭୁ ନ ଜଳାଇ କଲୁ ମାୟା l
ଶୁଦ୍ଧ କ୍ରିୟା ଲୁପ୍ତ
ଦଶହା ସମାପ୍ତ
ଗଙ୍ଗା ଶ୍ରାଦ୍ଧ ଭୋଜି ହେଲା ସ୍ବପ୍ନ
ଆହେ ମହାବାହୁ
ଜଗତର ନାଥ
ତୋ ଧ୍ୟାନେ ହେବି ମୁଁ ସଦା ମଗ୍ନ l
ଶେଷ ଯାତ୍ରା ବନ୍ଧୁ
ଆହେ ଜଗବନ୍ଧୁ
ସାକ୍ଷୀ ରୁହ ତୁମେ କାଳେ କାଳେ
ଦିନଜନ ସଖା
ଆହେ ପ୍ରଭୁ ତୁମେ
ମୁକ୍ତି ପାଇବି ଚରଣ ତଳେ l
