STORYMIRROR

Pt. Nityananda Khamari

Inspirational Children

3  

Pt. Nityananda Khamari

Inspirational Children

ମୋ କାହାଣୀ

ମୋ କାହାଣୀ

1 min
151


ଶୁଣ ମୋ କାହାଣୀ ଦେଶ ଜନତା

କରିଅଛି ମୋତେ  ଜଗତ ଜିତା

ମାତା ବକ୍ଷ ସ୍ଥିତ   ପାନ ଅମୃତ

ଆଶ୍ରୟର ସ୍ଥଳ   ରମ୍ୟ ପଣତ

    ଦେଇଅଛି ସ୍ନେହ ଶ୍ରଦ୍ଧା

ମାଆ ଶବ୍ଦ ଗୋଟି ଅମାପ ବଳ ମୋ

  ଆସେ ନାହିଁ କେବେ ବାଧା ll୧ll


ପିତା ମାତା ଅଙ୍କ ମୋ ଶ୍ରୀମନ୍ଦିର

ପୁଣ୍ୟ ତୀର୍ଥ ଧାର ତାଙ୍କ ପୟର

ମୋ ଘର ଅଗଣା ଜ୍ଞାନ ଭଣ୍ଡାର

ଗାଆଁ ଦାଣ୍ଡ ଧୂଳି  ଚନ୍ଦନ ମୋର

    ବରଗଛ ଦୋଳି ଖେଳ

ପିଇଅଛି ଜଳ  ନଦୀ ଝରଣାରୁ

   ସାଙ୍ଗ ସଖା ସାଥେ ମେଳ ll୨ll


ଦେଶ ସେବା ମୋର ଜୀବନ ଲକ୍ଷ

ପରଉପକାରେ   ଆତ୍ମର ମୋକ୍ଷ

ଧୂପ ସମ ଜଳି   ଜ୍ୟୋତି ପ୍ରଦାନ

ମାଆଁ ମାଟି ପାଇଁ  ତ୍ୟାଗ ଜୀବନ

   ଲେଖିବି କର୍ମେ କାହାଣୀ

ଧର୍ମ ମାଟି ରକ୍ଷା  ହେଉ ମୋର ଦୀକ୍ଷା

   ସତ୍ୟ ସିଦ୍ଧ ହେଉ ବାଣୀ ll୩ll


ପୂରୁବ ଗୌରବ  ଜାତି ଚେତନା

ବନ୍ଦେ ମାତାରମ ପ୍ରାଣେ ଧାରଣା

ରଖିବାକୁ ପଣ   ନର ଜନମେ

ସାଧନା ତପସ୍ୟା  ଫଳୁ କରମେ

     ମାଗୁଅଛି ବରଦାନ

ପିତୃ ଋଷି ଦେବ ତିନି ଋଣ ଶୁଝେଁ

     ଦୟାକର ଭଗବାନ ll୪ll


ପିତା ମାତା ସେବା  ରକ୍ଷା ମୋ ଧର୍ମ 

ସମାଜରୁ ଶିକ୍ଷା     ଲଭିବା କର୍ମ

ମରିଯିବି ପଛେ    ବାସ ବିତରି

ଭବ ଡ଼ଙ୍ଗାରେ ମୁଁ   ସାଜେଁ ନାଉରୀ

    ଜୀବନ ହେଉ ମୋ ଧନ୍ୟ

ଭାରତ ଜନନୀ   ପଞ୍ଚ ମହାଭୂତ

    ହେଉ ସଭିଙ୍କର ମାନ୍ୟ ll୫ll


କେତେ ଜପ ତପ ପୁଣ୍ୟର ଫଳେ

ଜନମ ଲଭିଛି   ମାଟିର କୋଳେ

ତୋ ମାଟି ଟିକକ  ମୋର ଚନ୍ଦନ

ଚରଣ ତଳେ ମାଁ   କରେଁ ବନ୍ଦନ

    ଏତିକି କାମନା ମୋର

ଜୀବନ କାହାଣୀ କରୁଛି ମାଗୁଣି

    ତୁମ ମାଟି ସ୍ୱର୍ଗ ପୁର ll୬ll


ଜୀବନୁ ମରଣ  ମା ସେବା ମମ

ବ୍ରତ ହେଉ ମୋର ପୁଣ୍ୟର ଧାମ

ଜାଣିଛି ମାଆ ଗୋ ସ୍ୱର୍ଗ ଠୁଁ ବଡ଼

ମାତା ଦଶଭୁଜା  ତୁ ମୋକ୍ଷ ଗଡ଼

  ତୋର ଦୁଃଖେ ସୁଖେ ମାଆଁ

ଶତ୍ରୁ ଗର୍ବ ଭାଙ୍ଗି  ବିଜୟ କେତନେ

  ଧ୍ବଂସ ହେଉ ମୋର ନାଆଁ ll୭ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational