ବଳିଦାନ
ବଳିଦାନ
ମାଟିର ମଣିଷ ମାଟିରେ ମିଶିବା
ହୋଇଯିବା ବଳିଦାନ
ଦେଶ ସେବା ପଣ ଯଶ ମାନ ଗୁଣ
ବଞ୍ଚାଇବ ସ୍ୱାଭିମାନ l
ରକ୍ତରେ ସ୍ବାଧୀନ ରକ୍ତରେ ଜୀବନ
ରକତରେ ଲେଖା ନାମ
ମାଟିର ସୁରକ୍ଷା ମାଟିର ମମତା
ମଣିଷ ଜୀବନେ କାମ l
ମାଆ ମାଟି ଭାଷା ଏ ସାରା ସଂସାରେ
ପରିଚୟ ମହିୟାନ
ମୋ ଦେଶ ସୈନିକ ବନ୍ଦେ ମାତାରମ
ମାକୁ କରେ ଗରୀୟାନ l
ଗଗନେ ପବନେ ଫର ଫର ଉଡ଼େ
ରାଷ୍ଟ୍ର ବିଜୟ ପତାକା
ଜାତୀୟ ସଙ୍ଗୀତ କୋଟି କଣ୍ଠେ ଶୁଭେ
ସିଏ ତ ଭବ ନଉକା l
ଗୁଡ଼ୁମ ଗୁଡ଼ୁମ କମାଣ ଗର୍ଜନେ
ଯୁଦ୍ଧ ଭୂମି ଥର ହର
ଭାରତ ମାତାର ଶୁଭ ଶଙ୍ଖ ଧ୍ୱନୀ
କରେ ବିଜୟ ଝଙ୍କାର l
ଭୁଲ ନାହିଁ ବନ୍ଧୁ ବଳିଦାନ ଗାଥା
କହୁଅଛି କାନେ କାନେ
ରକତ ଡାକୁଛି ରକତକୁ ଆଜି
ହେଜ ବାରେ ତନୁ ମନେ l
ମୋର ବୋଲି ଯାହା କହୁଅଛ ଆଜି
ନୁହେଁତ ତାହା ତୁମର
ଏ ଦେଶ ଜନତା ପାଳିଛି ପୋଶିଛି
ନୁହଁ ତୁମ୍ଭର ଗୋଚର l
କିଏ ପର ଆଜି କିଏ ବା ନିଜର
ସର୍ବେ ଏକ ପରିବାର
ମାଟି ଶିଖାଉଛି ବସୁଧା ବାସୀଙ୍କୁ
ମୋ ଘର ମମତା ଦ୍ୱାର l
ପୂରୁବ ଗୌରବ ପୂରୁବ ବୈଭବ
ରଚିଅଛି ଇତିହାସ
ତୋ କାର୍ଯ୍ୟକୁ ଦେଖି ହେ ସିଂହ ସନ୍ତାନ
ମୋତେ ଲାଗୁଅଛି ହସ l
ମନେ ପକାତୋର ଶୋର୍ଯ୍ୟ ପରାକ୍ରମ
ବାୟୁ ପୁତ୍ର ହନୁମାନ
ସମୁଦ୍ର ଡେଇଁଲେ ମାତା ଠାବ ପାଇ
ରାମ ନାମ କଲେ ଗାନ l
କନ୍ଧ ମୁଣ୍ଡା ଭିଲ ପାଇକ ବୀରର
ଯୁଦ୍ଧ ଖୋର ରଣନୀତି
ଭାରତ ସୁପୁତ୍ର ବଳିଦାନ ହୋଇ
ଶିଖାଏ ଦେଶ ଭକତି l
ନିଜ ଚିନ୍ତା ଖାଲି ଘାରୁଅଛି ଆଜି
ସ୍ୱାର୍ଥ ଚିନ୍ତା କରେ ବନ୍ଦୀ
ନିଜ ଦୋଷ ଛାଡ଼ି ଅନ୍ୟର ଦୋଷକୁ
ବଞ୍ଚୁଅଛୁ ତୁହି ନିନ୍ଦି l
ଛାଡ଼ିଦେ ତୋହର କୁକୁର ପ୍ରକୃତି
ନ ହୁଅ ଅଇଁଠା ଚଟା
ସତ୍ୟ ଧର୍ମ ପଥ ଆଦର ସୋଦରେ
ବୋଲାଅ ଭାରତ ବେଟା l
