ଆସ ବସିବା ମକର
ଆସ ବସିବା ମକର


ଆସ ବନ୍ଧୁ ଜନ ଶୁଭ ଲଗନରେ
ବସିବା ଆମେ ମକର
ଭୁଲି ରାଗ ରୋଷ ଦ୍ୱେଷ ହିଂସା ଭାବ
ହୋଇବା ହେ! ଏକାକାର l
ମାନବ ଜନମ ଲଭିଛୁ ଜଗତେ
ପରୋପକାର ପାଇଁ
ସ୍ୱର୍ଗ ରାଇଜରୁ ମର୍ତ୍ତ୍ୟର ରାଇଜେ
ମୁକତି ମାର୍ଗରେ ଧାଇଁ l
ଏଠି ଅଛି ଶାନ୍ତି ମୈତ୍ରୀ ପ୍ରୀତି ଭାବ
ମର୍ତ୍ତ୍ୟର ବୈକୁଣ୍ଠ ପୁରୀ
ସ୍ନେହ ଶ୍ରଦ୍ଧା ଗୁଣେ ସ୍ୱାର୍ଥ ବଳି ଦେଇ
ଚାଲିବା ବୈକୁଣ୍ଠ ପୁରୀ l
ମିତ୍ରତା ଆସନ ମକର ମିଳନ
ମାଟିର ବଡ଼ ପରବ
କାମ କ୍ରୋଧ ଦମ୍ଭ ଇର୍ଷା ଅହଂକାର
ସଭିଙ୍କ ହେବ ଖରବ l
କର୍କଟ କ୍ରାନ୍ତିରୁ ମକର କ୍ରାନ୍ତିକୁ
ସୁଯ୍ୟଦେବ ଆଗମନ
ଦକ୍ଷିଣାୟଣରୁ ଉତ୍ତରାୟଣରେ
ଭାସ୍କର ବସି ଆସନ l
ଶୀତକୁ ହଟାଇ ଦିଅନ୍ତି ଜଗତେ
ସଭିଙ୍କୁ ମିଠା ଗରମ
ଆଶୀର୍ବାଦ ଦେଇ ମକର ମିଳନେ
ମନକୁ କରି ନରମ l
ମିତ୍ରତା ପଣକୁ ସ୍ୱାଗତ କରନ୍ତି
ପଶୁ ପକ୍ଷୀ ଜୀବ କୁଳ
ଦିବସ ବଢ଼ଇ ସର୍ବରୀ କମଇ
ଚ୍ୟୁତ ବୃକ୍ଷରେ ବକୁଳ l
ଗୁଡ଼ ରାଶି କ୍ଷୀର ଅରୁଆ ଚାଉଳ
ମକର ମିଳନ ସାକ୍ଷ୍ୟ
ମଧୁର ସ୍ନେହର ସୁଗୁଣ କୀର୍ତ୍ତନ
ମିତ୍ରତା ଦିଅଇ ମୋକ୍ଷ l
ଗ୍ରାମରୁ ସହର ମକର ମିଳନ
ହୁଅଇ ବଡ଼ ସରାଗେ
ଧନୀ ଓ ଗରିବ ଶ୍ରୀକୃଷ୍ଣ ସୁଦାମା
ସାକ୍ଷୀ ଦେଉଛି ଗରବେ l
ଚାଷୀକୁଳ ହସେ ଦିବସ ବର୍ଦ୍ଧନେ
କାମ କରିବେ ଅନେକ
ପଥର ଭିକାରୀ ଆତୁର ହୁଅଇ
ମାଗିବ ଅଧିକ ଭିକ l
ମକର ପରବ ଆସିବ
ବୋଲିକି
ହସନ୍ତି ପ୍ରକୃତି ରାଣୀ
ନାନା ରଙ୍ଗ ଫୁଲୁ ସୁଗନ୍ଧ ଚହଟେ
ହସେ ଗୋଲାପ ରାଣୀ l
କ୍ଷୀରୀ ପୁରୀ ପିଠା ପ୍ରସାଦ ଚଢଇ
ବଡ଼ ଠାକୁରଙ୍କ ପୁରେ
ତାକୁ ସାକ୍ଷୀ ରଖି ମକର ମିତଣୀ
ମହାପ୍ରସାଦ ସ୍ନେହରେ l
ମକର ସ୍ନାହାନ କରିଣ ଭକତେ
କଳ୍ପ ବଟ ଘେରା ବୁଲି
ମନର କାମନା ପୂର୍ଣ୍ଣ କରିବାକୁ
ତୀର୍ଥ ସ୍ଥାନେ ଯାନ୍ତି ଚାଲି l
ବାଦ୍ୟ ହୁଳହୁଳି ମର୍ଦଳ କାହାଳି
ତୁଳସୀ ଚଉରା ମୂଳେ
ପ୍ରଭୁ ନାମ କହି ମିତ୍ରତା ହୁଅଇ
ପ୍ରତି ଯୁଗ କାଳେ କାଳେ l
ମିତ୍ରତା ପାଇଁକି ଶ୍ରୀରାମ ସୁଗ୍ରୀବ
ରାମାୟାଣେ ଚିର ସତ୍ୟ
ନର ରୂପେ ପ୍ରଭୁ ଲୀଳା ରଚିଥାନ୍ତି
କଥାଟା ଅଟଇ ସତ୍ୟ l
ମିତ୍ରତା ଆଦରି ମହାଦାନୀ କର୍ଣ୍ଣ
ଜୀବନ ଅର୍ପଣ କଲେ
ମିତ୍ର ଧର୍ମ ରକ୍ଷା ଅଛି ମହୀତଳେ
ତୁଟେନି ଜୀବନ ଗଲେ l
ନବ ବେଭାର ନବ ବସ୍ତ୍ର ଦେଇ
ରଖନ୍ତି ମିତ୍ରତା ପଣ
ଦୁଃଖ କଷ୍ଟ କାଳେ ସମ୍ମାନ ରଖନ୍ତି
ଜଳରେ ଧୌତ ଚରଣ l
ସଙ୍ଗାତ ବଉଳ ଫୁଲ ସଖି ବସି
ଡାଲିମ୍ବ ପଣର ଯୋଗ
ଭାରତ ସଂସ୍କୃତି ନିର୍ମାଲ୍ୟର ବନ୍ଧୁ
ଜଗତେ ଶିଖାଏ ତ୍ୟାଗ l
ହେ ଦେଶ ଜନତା ଦେଶ ବିଦେଶରେ
ରଖିବା ମିତ୍ରତା ପଣ
ସର୍ବେ ଭବନ୍ତୁ ସୁଖିନଃ ମାର୍ଗରେ
ପରସ ମିତ୍ରତା ଗୁଣ l
ବସୁଧା ଆମ୍ଭର ଏକ ପରିବାର
ଆମେ ସର୍ବେ ଭାଇ ବନ୍ଧୁ
ମିନତୀ କରୁଛି ସକଳ ଜନଙ୍କୁ
ରଖିବ ହେ! ଦୀନବନ୍ଧୁ ।