ହେ ଆନନ୍ଦ ମୟ (ଭାଗ -୧୨)
ହେ ଆନନ୍ଦ ମୟ (ଭାଗ -୧୨)


ଗଙ୍ଗା ସରସ୍ବତୀ ସିନ୍ଧୁ ଓ ନର୍ମଦା
ବ୍ରହ୍ମପୁତ୍ର ଗୋଦାବରୀ
ଦେବୀ ଗୋ ଯମୁନା ରେବା ମହାନଦୀ
ଗଣ୍ଡକୀ କୃଷ୍ଣା କାବେରୀ l
ପୁଣ୍ୟମୟୀ ତୁମେ ମୋକ୍ଷ ପ୍ରଦାୟିନୀ
ସ୍ୱର୍ଗୁ ମର୍ତ୍ତେ ଅବତରୀ
କୋୟଲ ଶଙ୍ଖରେ ବୈତରଣୀ ମିଶି
ତ୍ରିବେଣୀ ଦିଅନ୍ତି ବାରି l
ହିମାଳୟ ଠାରୁ ଜନ୍ମିଲ ଦେବୀଗୋ
ପତିତପାବନୀ ନାମ
ପୁଣ୍ୟ ଗଙ୍ଗୋତ୍ରୀରେ କରିଲେ ସ୍ନାହାନ
କେବେ ନିଏ ନାହିଁ ଯମ l
କୋଟି ଜନ୍ମଫଳେ ଦର୍ଶନ ଲଭିଛୁ
ପବିତ୍ର ଗଙ୍ଗାର ଜଳ
ମୋକ୍ଷ ପ୍ରଦାୟିନୀ ଜଗତ ଜନନୀ
ଆତ୍ମାଟି ପାଏ ସଫଳ l
ଯୁଗ ଯୁଗ ଧରି ତ୍ରିତାପ ହାରିଣୀ
କର ମାନବେ ଉଦ୍ଧାର
କରୁଣା ମଇଗୋ ପ୍ରୟାଗ ରାଜରେ
ସ୍ନେହ ମୟୀ ପାରାବାର l
ଶିବଙ୍କ ଜଟାରୁ ଉଦ୍ଗମ ପୁଣିଗୋ
ପ୍ରଭୁ ହେଲେ ଗଙ୍ଗାଧର
ଧନ୍ୟ ମହାଦେବୀ ଶିବଙ୍କ ସଙ୍ଗିନୀ
ପାଦ ସେବ ମହେଶ୍ୱର l
ତୁମର ପ୍ରାର୍ଥନା ତୁମ ଆରାଧନା
କରନ୍ତି ସକଳ ଜୀବ
ମୁକ୍ତି ଦାତ୍ରୀ ତୁମେ ଗତି ପ୍ରଦାୟିନୀ
ଉଦ୍ଧାର ସଂସାର ନାବ l
ନମାମି ଗୋ ଗଙ୍ଗେ ଉଚ୍ଛଳ ତରଙ୍ଗେ
ରୂପେଲି ହୀରକ ପରି
ସଂସାରେ ନାହାନ୍ତି ଦୟାର ପ୍ରତିମା
ନୁହେଁ କେହି ତୁମ ସରି l
ତୁମ ଗଙ୍ଗା ଜଳ ଯେଉଁଠି ପଡ଼ଇ
ହୋଇଥାଏ ସେ ପବିତ୍ର
ଯେତେ ଦେଖୁଥିଲେ ତୁମକୁ ଗୋ ମାଆ
ପବିତ୍ର ନୟନ ଗାତ୍ର l
କରୁଛି ଆଳତି ମୋ ମନ ମନ୍ଦିରେ
ଆତ୍ମାକୁ ଚରଣେ ଥୋଇ
ଥରୁଟିଏ ମାଗୋ ଆଶୀର୍ବାଦ କର
ଯିବି ମୁଁ ଗୋ ମୋକ୍ଷ ହୋଇ l
ତୁମ୍ଭ ଦୟା ବଳେ ସାଗର ବଂଶଟି
ପାଇଲା ଗତି ମୁକତି
ତୁମ ଜଳ ପାନେ ଦୁର୍ବଳ ପାଅଇ
ଅମାପ ବଳ ଶକତି l
ରୋଗୀ ଜନଙ୍କର ରୋଗ ନିବାରଣ
ଭୋଗୀଙ୍କ ଆତ୍ମ ତୃପ୍ତି
ଯୋଗୀ ମୁନୀ ରୁଷି ଆବର ତପସ୍ବୀ
ହୃଦୟେ ଦିଅ ଭକତି l