ସର୍ବହରାର ଆତ୍ମଲିପି
ସର୍ବହରାର ଆତ୍ମଲିପି
ମୁଁ ସର୍ବହରା
ଅରକ୍ଷିତ ବେସାହାରା
କାହା ପାଇଁ ଗରିବ ବିପିଏଲ୍
କାହା ପାଇଁ ଦୀନ ଦରିଦ୍ର
କାହା ପାଇଁ ଆମ୍ ଆଦମୀ
କାହା ପାଇଁ ନର ନାରାୟଣ
କାହା ପାଇଁ ଜନତା ଜନାର୍ଦ୍ଦନ
ଆଉ କାହା ପାଇଁ ମଳିମୁଣ୍ଡିଆ
ମ୍ଳେଛ ଅସଭ୍ୟ ଅଶିକ୍ଷିତ ମଣିଷ ।
ଆଜି ବି ରୋଟି ହେଉ କି ଭାତ
ମୋ ପାଇଁ ଅପହଞ୍ଚ
ବସ୍ତ୍ର ଓ ବାସଗୃହ ଆଦି
ଭାରତୀୟ ସମ୍ବିଧାନ ପ୍ରଦତ୍ତ
ମୌଳିକ ସୁବିଧା ସୁଯୋଗ
ଦୂରନ୍ତ ପରାହତ ସ୍ଵପ୍ନ
ସୁଖ ସଂଭୋଗ ଭୋଗ ବିଳାସ
ଜାଦୁଗରର ଇନ୍ଦ୍ରଜାଲ ।
ପୁଞ୍ଜିପତି ବୁର୍ଜ୍ଜୁଆ ମାଫିଆ
ବ୍ୟାପାରୀ ବାହୁବଳୀ ଦଲାଲ୍
ରକ୍ତପୋଷ୍ଯ ବଡପଣ୍ଡା ଗୋଷ୍ଠୀଙ୍କ
ଦ୍ବାରା ଯୁଗ ଯୁଗ ଧରି ଶୋଷଣର
ମୁଁ ହୋଇଛି ଅକାରଣରେ ଶିକାର
ସେହିମାନଙ୍କ ଦ୍ଵାରା ଚିରଦିନ ଉତ୍ପୀଡିତ
ମୋର ଭାର୍ଯ୍ୟା ପିଲା ପରିବାର
ଅଥଚ ସେମାନଙ୍କ ହାତଟେକା
ଦୟାରେ ଦିଆ ଯାଇଥିବା କାମକରି
ପାଉଥିବା ଯତ୍ କିଞ୍ଚିତ୍ ଅର୍ଥରେ
ପ୍ରତିପାଳିତ ମୋର
ପୁରା ଘର ପରିବାର ।
ସାମାଜ ଶାସ୍ତ୍ରୀ - ଅର୍ଥଶାସ୍ତ୍ରୀଙ୍କ
ପ୍ରୟୋଗଶାଳାରେ ପରୀକ୍ଷିତ
ମୁଁ ସର୍ବହରା ବେସାହାରା
ଯାହାର ଇଜ୍ଜତ ମହତ
ଦୁନିଆଁର ଏଇ ବଡଦାଣ୍ଡରେ
ସଦା ବଡ଼ପଣ୍ଡାଙ୍କ ଦ୍ବାରା ଭୁଲୁଣ୍ଠିତ
ଅଥଚ ମୋ ପାଇଁ କାହାରି ବି
କେବେ ଖୋଲେ ନାହିଁ ମୁଖ ।
ମୋ ସ୍ବାର୍ଥ ସମ୍ମାନ ଉତ୍ଥାନ ପାଇଁ
କେତେ କୁସ୍ତି କସରତ
କେତେ ବାକ୍ ବିତଣ୍ଡା
କେତେ କାଦୁଅ ଫିଙ୍ଗା
କେତେ ଗୋବର ଛିଟା
କେତେ ଗୋଡଟଣାଟଣି
କେତେ ରଥଯାତ୍ରା ଦୋଳ ଯାତ୍ରା
କେତେ ରକ୍ତାକ୍ତ ସଂଘର୍ଷ
କେତେ ଅନୁଦାନ ପ୍ରୋତ୍ସାହନ
କେତେ ଅରଣ୍ୟ ରୋଦନ
କେତେ କୁମ୍ଭୀର କ୍ରନ୍ଦନ
ଅଥଚ ମୁଁ ଶୋଷିତ ନିଷ୍ପେସିତ
ଚିରକାଳ ଚିରଦିନ ।
ମାର୍କ୍ସବାଦ - ଲେଲିନବାଦ
ପୁଞ୍ଜିବାଦ - ସାମ୍ୟବାଦ
ସମାଜବାଦ - ଗାନ୍ଧୀବାଦ
ମାଓବାଦ - ନକ୍ସଲବାଦ
ମୁକ୍ତ ବଜାରବାଦ - ଉପଭୋକ୍ତାବାଦ
ସାଂସ୍କୃତିକ ରାଷ୍ଟ୍ରବାଦ - ବଂଶବାଦ
ଅର୍ଥନୀତି ରାଜନୀତି ପ୍ରୀୟାପ୍ରୀତି
ମୋ ପାଇଁ କେତୋଟି
ଦୁର୍ବୋଧ୍ୟ କ୍ଲିଷ୍ଟ ଶବ୍ଦ ପୁଞ୍ଜ ମାତ୍ର ।
ବଜାରବାଦୀ - ଉଦାରବାଦୀ
ଅର୍ଥନୀତିରେ ମୁଁ
ଗୋଟେ ପଣ୍ଯ ସାମଗ୍ରୀ
ଶ୍ରମ ଶକ୍ତିର ଉତ୍ସ
ଅର୍ଥଶାସ୍ତ୍ର ବଖାଣନ୍ତି ମୋର
କେତେ ଗୁଣ କେତେ ଖୁଣ
ଯନ୍ତ୍ରଠୁ ମୁଁ କାଳେ ହୀନ!
ନିତି ବିକାକିଣା ହୁଏ ମୋର
ରାଜପଥର ରାସ୍ତାକଡ଼ରେ
ଦିନେ ବିକ୍ରି ନହେଲେ ଖାଡ଼ା ଉପାସ
ରହେ ମୋର ପୁରା ପରିବାର ।
ରାଜନୀତିର କୂଟ ପଶାପାଲିରେ
ନିତ୍ଯ ବ୍ଯବହାର୍ଯ୍ଯ ଏକାନ୍ତ ଅପରିହାର୍ଯ୍ୟ
ନିର୍ବାଚନ ମୈଦାନରେ ଅତି ଆପଣାର
ଆଦରଣୀୟ ନର ନାରାୟଣ
ମୁଁ ଅରକ୍ଷିତ ବେସାହାରା
ଦରିଦ୍ର ଆମ୍ ଆଦମୀ ସର୍ବହରା
ମୋ ପାଇଁ ଯୋଜନା ସବୁ
ହୁଏ ବାଟମାରଣା ଚହଟ ଚିକ୍କଣ
କାର୍ପଟଦାର କୁଜି ଠୁଁ ତୁଙ୍ଗ ନେତାଙ୍କ ଦ୍ୱାରା
ମୁଁ ସେମିତି ରହିଯାଏ ହୋଇ ସର୍ବହରା ।
ଦେଶ ବିଦେଶେ ଯେତେ କାରୁକାର୍ଯ୍ୟ
ସୌଖିନ ଐତିହ୍ୟ ସ୍ଥଳୀର ଭାସ୍କର୍ଯ୍ଯ
ଖଣି ଖାଦାନ କ୍ଷେତ ବାଗାନ
କଳ କାରଖାନା ସୌଧ ଇମରାତ
ବିଳାସପୂର୍ଣ୍ଣ କ୍ଲବ୍ ହୋଟେଲ୍ ପବ୍
ରାଜପଥ ଜନପଦ ସହର ବଜାର
ନଗର ପଲ୍ଲୀ ବନ୍ଦର ବିମାନବନ୍ଦର
ମନ୍ଦିର ମସଜିଦ୍ ଗୀର୍ଜା ଗୁରୁଦ୍ଵାର
ସବୁ ତ ଗଢା ମୋହରି
ରକ୍ତ ମାଂସ ସ୍ବେଦର
ଅକାତର ବଳିଦାନରେ
ଦେଶ ଗଢା ହୁଏ
ମୋ ପାଇଁ ମୋ ଦ୍ୱାରା
କିନ୍ତୁ ଏ ଦେଶ ନୁହଁଇ ମୋହର
ମୁଁ ଖଟିଖିଆ ଦିନ ମଜୁରିଆ
ଅରକ୍ଷିତ ସର୍ବହରା କିଙ୍କର
ତୃତୀୟ ବିଶ୍ବର ଅଗ୍ରଣୀ କର୍ଣ୍ଣଧାର ।
ବଜାରବାଦୀ ମୁକ୍ତ ପୁଞ୍ଜିବାଦୀ
ଅର୍ଥନୀତିର ଯୁଗରେ
ମୁଁ ନୁହେଁ ମଣିଷ ପଦବାଚ୍ୟ
ମୁଁ କାଳେ ଗୋଟେ ପଣ୍ୟ
ଶ୍ରମଶକ୍ତିର ଉତ୍କୃଷ୍ଟ ଉତ୍ସ
ଶାଗମାଛ ମୂଲ୍ୟରେ
ବିକ୍ରି ହୁଏ ଦେହ ମୋର
ରକ୍ତ ମୋର ମାଂସ ମୋର
ମୂଲର ବଜାରରେ
ପେଟର ଭୋକ ଏଠି ମହଙ୍ଗା
ଅଥଚ ମଣିଷ ଖୁବ୍ ଶସ୍ତା ।
ମୋ ପାଇଁ ତ ନାହିଁ ମାନବାଧିକାର
ନାହିଁ ମୋର ମୌଳିକାଧିକାର
ନାହିଁ ଟୋପାଏ ଔଷଧର ବିଧାନ
ମୁଠାଏ ଭାତର ପ୍ରବନ୍ଧନ
ସବୁଥିରୁ ବଞ୍ଚିତ ଲାଞ୍ଛିତ
ମୁଁ ସର୍ବହରା ବେସାହାରା
ଲଢ଼ି ଲଢ଼ି ଭାଗ୍ୟ ସହ
ବିଧି ସହ ବଞ୍ଚିବାଟା
ମୋର ଜନ୍ମସିଦ୍ଧ ଅଧିକାର
ବଞ୍ଚି ନାହିଁ କାହାର ସାହାରାରେ
ବାଟ ଚାଲୁଛି ଆପଣା ଇଛାରେ ।
ଞ
ମୁଁ ଖଟିଖିଆ ମଜୁରିଆ
ମେହନତୀ ସର୍ବହରା ମଣିଷ
ନୁହେଁ ଛତରଖିଆ କି ଲୁଟିଖିଆ
ମୁଦ୍ରାସ୍ଫୀତି ଅଭିବୃଦ୍ଧି ସୂଚକାଙ୍କ
ମୋ ଲାଗି ଅଲୋଡ଼ା ଜିନିଷ
ଅର୍ଥନୀତି କୂଟନୀତି ପ୍ରିୟାପ୍ରୀତି
ତୋଷାମଦୀରେ ନାହିଁ ମୋର ଚାଷ
ଶ୍ରମଜୀବୀ ହେତୁ ପରିଶ୍ରମ
ମୋର ଭଗବାନ ମୁହିଁ ତାର ଦାସ ।
ମୁଠିଏ ଦାନା ଆଉ ଖଣ୍ଡିଏ
କନାରେ ମୋର ସନ୍ତୋଷ
ତୁମ ପରି ସର୍ବଗ୍ରାସୀ
ସର୍ବନାଶୀ ନୁହେଁ ଆମ ଶୋଷ
ତୁମେ ହେଲେ ହର୍ତ୍ତାକର୍ତ୍ତା
ନିଶ୍ଚେ ନାଶ ଯାଏ ଦେଶ
ଦୁର୍ନୀତି କେଳେଙ୍କାରୀ
ବ୍ଯାଭିଚାରେ ନଷ୍ଟ ହୁଏ ଯଶ ।
କ୍ଷମତା ଗାଦିରେ ରହିବାକୁ
ତିଷ୍ଠି ଚାଲେ ତୁମ୍ଭ ନାଟ
ସେଥି ଲାଗି ଗରିବର
ଉଦରକୁ ସଦା ମାରୁଥାଅ ଲାତ
ଗରିବର ବଳ ପାଇ ପୁଣି
ଗରିବକୁ ଜୋକ ପରି ଲୁଟ
ତୁମ କଳା କାରବାରେ
ଜାତୀୟ ଚରିତ୍ର ହୁଅଇ ନିନ୍ଦିତ ।
କାନ ଖୋଲି କରି ଶୁଣ ଆହେ
ବଳିଷ୍ଠ ଗରିଷ୍ଠ ସରକାର ବାହାଦୁର
ଆଉ କେତେ ଦିନ ଏମିତି ଆଉ
ଅନ୍ଧ ମୁକ ବଧିର ବିଲୁଆ ବିଚାର
ତୁମ୍ଭ ଅତିଶୟ ଭ୍ରଷ୍ଟାଚାରେ
ଯେବେ ଜନଗଣ କରିବେ ରୋଷ
ଧ୍ବଂସ ଯିବ ଦିନେ ବୃଥା ଟାଣପଣ
ଗର୍ବ ନିମିଷକେ ହୋଇବ ପାଉଁଶ
ଏହି ମୋର ଅନ୍ତର୍ଦାହ ଆତ୍ମଲିପି
ସର୍ବହରାର ସ୍ପର୍ଦ୍ଧିତ ଇସ୍ତାହାର ।