STORYMIRROR

Sambit Srikumar

Tragedy Classics Inspirational

4  

Sambit Srikumar

Tragedy Classics Inspirational

କୁକ୍କୁଟ ସମର

କୁକ୍କୁଟ ସମର

2 mins
359

ବାଜି ଲାଗିଛି କୋଟି କୋଟି ଟଙ୍କା

ବାଜି ଲାଗିଛି ମାନ ସମ୍ମାନ ପ୍ରତିଷ୍ଠା

ବାଜି ଲାଗିଛି ଗର୍ବ ଗୌରବ ଅହମିକା

ବାଜି ଲାଗିଛି ମାନବୀୟ ଅସ୍ମିତା

ବାଜି ଲାଗିଛି ସାମାଜିକ ପ୍ରତିପତ୍ତି

ବାଜି ଲାଗିଛି ପୌରୁଷ ପୁରୁଷାର୍ଥ

ଏଠି ବାଜି ଲାଗିଛି ଆଜି ସବୁକିଛି

ବାଜି ଲାଗିବା ଓ ଲଗାଇବା ପୁରାଣସିଦ୍ଧ

ଏଇ ତ ଦେଶର ମହାର୍ଘ ସଂସ୍କୃତି। 


କୁକ୍କୁଟ ସମର ପାଇଁ ନଦୀର ବାଲୁକା ରାଶିରେ

ଟଣାଯାଇଛି ରଙ୍ଗ ବେରଙ୍ଗୀ ସାମିଆନା

ଢେର୍ ଦିନରୁ ସରିଛି ଏଇ ପ୍ରସ୍ତୁତି ପର୍ବ

ଏଥିପାଇଁ ଘନ ଘନ ବରାଦୀ ବୈଠକ

ଜାତିପାତି ସରକାର ପ୍ରଶାସନ ସଭିଏଁ ପ୍ରସ୍ତୁତ

ଆରମ୍ଭ ହେବ ମହାଯୁଦ୍ଧ ଗର୍ବର ଅହମିକାର

ଅହଂ ସହ ଅହଂର ପୃଥିଧ୍ବଂସୀ ମହାସମର

ସଭିଏଁ ଜାଗତିଆର ସଭିଏଁ ହୁସିଆର। 


ରଙ୍ଗୀନ୍ ସାମିଆନା ତଳେ ରଙ୍ଗଭୂମୀ

ଏଇଠି ଲଢି ଲଢି ବୀରଗତି ପ୍ରାପ୍ତ ହେବେ

ଅବା ବିଜୟଶ୍ରୀ ମଣ୍ଡିତ ହେବ

ସେଥିପାଇଁ ନିଘା ନାହିଁ କାହାର

ଲଢେଇ ତ ହେବ ହିଁ ହେବ

ବିନା ଲଢେଇରେ ବା କଣ ହେବ ?


ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ଯୋଦ୍ଧା ବି ତୟାର

ଆପଣାର ପକ୍ଷ ମେଲି ଦେଉଛି ହୁଙ୍କାର

ଲଢେଇରେ ଲଢିବା ପାଇଁ ହିଁ ତ ଜନ୍ମ

ଏଇ ଲଢେଇରେ ମରିବା ହିଁ ତ ଗୌରବ

ଏଣୁ ହସି ହସି ଲଢିବାକୁ ହିଁ ତ ପଡ଼ିବ। 


କିଛି ବି ତ ଏମିତି ନାହିଁ ଦୁଇଟି

ମୁକ ପକ୍ଷୀ ମଧ୍ଯରେ ବୈରୀ ଭାବ

ଏମିତି ବି ଦୁହେଁ ଦୁହିଁଙ୍କୁ ଜାଣି ବି ନାହାଁନ୍ତି

ଚିହ୍ନିବା ତ ରହିଲା ବହୁ ଦୂରର କଥା

ଇତରର ସୁଖ ଲାଗି ଧାରୁଆ ଅସ୍ତ୍ରରେ

ଆଭୂଷିତ ହୋଇ ଆଜି ଏଇ ରଣଭୂମିରେ

ଦୁହେଁ ଦୁହିଁଙ୍କ ଜୀବନ ନେବାକୁ ପ୍ରସ୍ତୁତ

ମାଲିକର ସ୍ବାର୍ଥ ଅହମିକା ପ୍ରତିପତ୍ତି ପାଇଁ

ଆପଣାର ପ୍ରାଣବଳି ଦେବାକୁ ନୁହଁନ୍ତି କୁଣ୍ଠିତ। 


ଏଇ ବର୍ଣ୍ଣାଢ୍ୟ ରଣଭୂମିରେ ହିଁ ନିମିଷକରେ

ନିର୍ଣ୍ଣିତ ହେବ କିଏ ହୋଇବ ବିଜେତା

ପରାଜୟ ହେଉ ଅବା ବିଜୟ

ଅବା ଅମୀମାଂସିତ ହେଲେ ବି ଲଢେଇ

ମୃତ୍ୟୁ ଏଠି ଅବଶମ୍ଭାବୀ ନିର୍ନିମିତ୍ତ

ତଥାପି ଲଢିବାକୁ ହେବ ଏହା ହିଁ ତ ବିଧି ନିର୍ଦ୍ଧିଷ୍ଟ

ଯୋଦ୍ଧା ଜୀବନର ସାର୍ଥକତା ଶ୍ରେଷ୍ଠତ୍ବ

ଦିନେ ନା ଦିନେ ହିଁ ଦେଖାଇବାକୁ ହେବ ଉତ୍କର୍ଷତା

ଦେବାକୁ ହେବ ଆତ୍ମବଳି ଏଇ ତ ବୀରତ୍ବର ପରାକାଷ୍ଠା। 


ଏଇଠି ହିଁ ଜଳି ଉଠିବ ଯୁଇ ତତଲା ଲୌହ ପାତ୍ରରେ

ଖଣ୍ଡ ବିଖଣ୍ଡିତ ରକ୍ତାକ୍ତ ଶରୀର ହେବ ବହୁଧା ବିଭକ୍ତ

ମାଂସଖଣ୍ଡ ସବୁ ଅତି ଯତ୍ନପୂର୍ବକ ପାକ ହେବ

ତୈଳ ସ୍ନିଗ୍ଧ ଆମିଷ ବାସ୍ନାରେ ବିଭୋର ହେବ

ଆଖ ପାଖର ବନଭୂମି ମୁଗ୍ଧ ପରିବେଶ

ଜିହ୍ୱା ଲାଳସା ମେଣ୍ଟାଉ ମେଣ୍ଟାଉ ମେଣ୍ଟିଯିବ

ଦୁଇ ପକ୍ଷ ମାଲିକଙ୍କର ପାରସ୍ପରିକ ଶତ୍ରୁତା

ପାର୍ବଣ ମୁଖର ଜନମାନସ ଲଭିବ ଜାନ୍ତବ ସୁଖ

କୋଟି କୋଟି ଟଙ୍କାର ଜୁଆ ଖେଳରେ

ହାତ ଚିକ୍କଣ କରିବେ ନିଶ୍ଚୟ କତିପୟ

ଯାହା ଜୀବନ ହାରି ଦେବେ ମୁକ ପକ୍ଷୀ କେଇଟା

କାହାର ବା କିଛି ଫରକ ପଡିବ ଏଥିରେ?

ବିଚରା ପକ୍ଷୀଜନ୍ମରୁ ମୁକ୍ତି ପାଇଯିବେ ଅଚିରେ। 



Rate this content
Log in

Similar oriya poem from Tragedy