ଲକ୍ଷେହିରା
ଲକ୍ଷେହିରା
ଉଜ୍ଜୟିନୀ ରାଜ୍ୟ ଅବନ୍ତୀ ପୁରରେ
ଦୁଇ ବନ୍ଧୁ ରହୁଥିଲେ,
ଉଭୟଙ୍କ ମଧ୍ୟେ ନିବିଡ଼ ସମ୍ପର୍କ
ଖୀର ନୀର ସମତୁଲେ |
ବିଷ୍ଣୁଦାସ ଏଵଂ ବିଦ୍ୟାପତି ବୋଲି
ଥିଲା ସେମାନଙ୍କ ନାମ,
ବିବାହ ବୟସ ହେବାରୁ ତାଙ୍କର
ସାଥି ଖୋଜୁଥିଲା ମନ |
ମାତାଙ୍କ ନିର୍ଦେଷେ ବିଷ୍ଣୁଦାସ ଗଲେ
ଝିଅ ଦେଖିବାକୁ ଏକ,
ଅତି ରୂପବତୀ ଅନ୍ୟ ସାହିର ସେ
କନ୍ୟା କଲ୍ୟାଣୀ ନାମକ |
ସୁନ୍ଦରୀ କଲ୍ୟାଣୀ ରାଜିହେଲେ ନାହିଁ
ବିଭା ପାଇଁ ବିଷ୍ଣୁଦାସେ,
ନିରାଶେ ଫେରିଲେ ଘରକୁ ସିଏ ତ
ଅପମାନ ଜର୍ଜରିତେ |
ପ୍ରତିଶୋଧ ପାଇଁ ବିଦ୍ୟlପତିଙ୍କୁ ସେ
ବିଭାପାଇଁ ରାଜିକଲେ,
କଲ୍ୟାଣୀଙ୍କୁ ବିଭା ହୋଇ ବିଦ୍ୟାପତି
ଘରକୁ ବଧୂ ଆଣିଲେ |
କିଛିଦିନ ପରେ ବିଷ୍ଣୁଦାସ ଗଲେ
ବିଦ୍ୟାପତି ଘର ବୁଲି,
ବିଦ୍ୟlପତିଙ୍କୁ ସେ ଅନୁରୋଧ କଲେ
କଲ୍ୟାଣୀ ନାଚିବ ବୋଲି |
ସ୍ୱାମୀଙ୍କ ନିର୍ଦେଷେ ବାଧ୍ୟରେ କଲ୍ୟାଣୀ
ନାଚିଲେ ବିରସ ମନେ,
ଶାଶୁ ଜାଣି ତାକୁ ଘରୁ ତଡିଦେଲେ
ବିଟପୀ ଭାବିଣ ମନେ |
ଉଜ୍ଜୟିନୀ ରାଜା ଥିଲେ ସେତେବେଳେ
ଭଞ୍ଜ ବିକ୍ରମ କେଶରୀ,
ସୁଵିଚାର ପାଇଁ ରାଜ ଦରବାରେ
ଗଲା କଲ୍ୟାଣୀ ସୁନ୍ଦରୀ |
ରାଜାଙ୍କ ବିଚାରେ କଲ୍ୟାଣୀ ଦୋଷୀ ଯେ
ନିରାଶାରେ ବାହୁଡ଼ିଲା,
ରାଜକନ୍ୟା ଅନସୂୟା ତାଙ୍କ ପରି
ହେବେ,ଅଭଶାପ ଦେଲା |
ଦୁଃଖେ ଆସି ଗଙ୍ଗା ନଦୀରେ ଜୀବନ
ହାରିବାକୁ ବସିଥିଲା,
ଗଙ୍ଗାମାତା କୃପା କଲେ କଲ୍ୟାଣୀକୁ
ମନେ ଆଶା ସଞ୍ଚରିଲା |
ନଦୀର ଅପର ପାର୍ଶ୍ୱରେ ତୋଳିଲେ
ଗଙ୍ଗାମାତା ସୁପ୍ରlସାଦ,
ଲକ୍ଷେହିରା ନାମେ ରହିଲେ କଲ୍ୟାଣୀ
ଅପେକ୍ଷାରେ ଭବିଷ୍ୟତ |
ନିଜ କୃତକର୍ମେ ବିଷ୍ଣୁ ଦାସ ହେଲେ
କୁଷ୍ଠ ରୋଗରେ ଆକ୍ରାନ୍ତ,
ଭିକ୍ଷା ମାଗିବାକୁ ବସିଥିଲେ ଯାଇ
ମନ୍ଦିରରେ ହୋଇ କ୍ଲାନ୍ତ |
ରାଜାଙ୍କ ନିର୍ଦେଷେ କନ୍ୟା ଅନସୂୟା
ବର ବାଛିବାକୁ ଗଲେ,
ଦେବୀଙ୍କ କୃପାରୁ ବରଣ ମାଳା ସେ
ତାଙ୍କଠାରୁ ପ୍ରାପ୍ତ ହେଲେ |
ପ୍ରଥମେ ଯାହାଙ୍କୁ ଦେଖିବେ ଯେ ସିଏ
ବରଣ କରିବେ ତାଙ୍କୁ,
ଆସୁ ଆସୁ ସିଏ ଝୁଣ୍ଟି ପଡିବାରୁ
ଖସାଇଲେ ସେ ମାଳାକୁ |
ଦୁର୍ଭାଗ୍ୟ ତାଙ୍କର ମାଳା ପଡିଗଲା
ବିଷ୍ଣୁ ଦାସର ଗଳାରେ,
ବାଧ୍ୟ ହୋଇ ସିଏ କୁଷ୍ଠ ରୋଗୀ ଜାଣି
ଗ୍ରହିଲେ ପତି ରୂପରେ |
ବିଷ୍ଣୁ ଦାସ ମନେ ଭାବୁଥିଲା ସଦା
ଭୋଗିବାକୁ ଲକ୍ଷେହିରା,
ତେଣୁ ସେ ପତ୍ନୀଙ୍କୁ କହିଲା ଏକଥା
ବୁଝିଦେବା ପାଇଁ ଦାରା |
ପତିବ୍ରତା ନାରୀ ଅନସୂୟା ଖୋଜି
ଯୋଗାଡ଼ିଲା ସ୍ବର୍ଣ୍ଣମୁଦ୍ରା,
ବନଦେବୀଙ୍କର ନିର୍ଦେଷେ ସାଧବ
ଦାନ ଯେ ସହସ୍ର ମୁଦ୍ରା |
ବିଷ୍ଣୁଦାସେ ଦେଖି ଲକ୍ଷେହିରା ଦେଲା
ଦୁଇଟି ପାନୀୟ ପାତ୍ର,
ଗୋଟିକରେ ଥିଲା ସୁବାସିତ ଜଳ
ଅନ୍ୟଟି ସତେ ଅମୃତ |
ସୁବାସିତ ଜଳ ଲକ୍ଷେହିରା ନାମେ
ଅନ୍ୟ ପାତ୍ର ଅନସୂୟା,
ନିଜର ଭ୍ରମକୁ ଵୁଝି ବିଷ୍ଣୁଦାସ
ଅନୁତାପେ ଶୁଦ୍ଧ କାୟା |
ବିଦ୍ୟାପତି ଆସି ପହଞ୍ଚିଲା ସେଠି
ଅଭାବ କଷଣ ସହି,
ପରିଚୟ ହେଲା ସଭିଙ୍କର ସେଠି
ଦୁଃଖ ବେଳା ଗଲା ବହି |