STORYMIRROR

Dharitri Das

Children

3  

Dharitri Das

Children

କିଏ ଆଣି ଦେବ ମୋ ପିଲାଦିନ

କିଏ ଆଣି ଦେବ ମୋ ପିଲାଦିନ

1 min
196

ମନେ ପଡ଼ିଯାଏ ମୋ ପିଲାଦିନ

ଗାଁ ପୋଖରୀରୁ ଧରୁ କେତେ ମୀନ।

ଦାଣ୍ଡେ ଖେଳୁ ଆମେ ବୋଉ ବୋଉକା

ଲୁଚକାଳି ସଙ୍ଗେ କିତି କିତିକା।

ଠିଆପୁଚି ଆଉ ଦଉଡ଼ି ଡିଆଁ

ଦାଣ୍ଡେ ବସି ପୁଇଁ ହେଉରେ ନିଆଁ।

ବାରମାସେ ତେର ପରବ ପାଳନ

କିଏ ଆଣି ଦେବ ମୋ ପିଲାଦିନ।

ଆସଇ ଯେବେ କୁମାର ପୂର୍ଣ୍ଣିମା

କହିତ ନୁହଁଇ ଖୁସିର ସୀମା।

ନାଚିକୁଦି ଗୀତ ଗାଇ ଗାଇକା

ବସି ପଡୁ ସର୍ବେ ପକାଇ ଚକା।

କାର୍ତ୍ତିକେ ଚଉରା ମୂଳେ ମୁରୁଜ

ବୋଇତ ଭସାଉ କରିଣ ସଜ।

ରାତ୍ର ଥାଉଁ ବୁଲୁ ମନ୍ଦିର ମାନ

କିଏ ଆଣି ଦେବ ମୋ ପିଲାଦିନ।

ମାର୍ଗଶୀରେ ମାଆ ବସାଇ ମାଣ

ମହାଲକ୍ଷ୍ମୀ ପୁଜେ ଭରିଣ ଧାନ।

ନାନା ଜାତି ପିଠା ପଣାରେ ଭରି

ପୂଜା ସ୍ଥାନେ ବସେ ପସରା ଧରି।

ଫାଲଗୁନ ମାସେ ଦୋଳ ମେଲଣ

ଫଗୁ ଖେଳେ ଆମେ ହେଉ ରଙ୍ଗୀନ।

ସାଙ୍ଗ ସାଥି ମେଳେ ମଜଇ ମନ

କିଏ ଆଣି ଦେଵ ମୋ ପିଲାଦିନ।

ରଜ ଆଣିଦିଏ କେତେ ମଉଜ

ଦୋଳି ଖେଳୁରେ ହୋଇ ସଜବାଜ।

ପୋଡ଼ପିଠା ସହ ଆମ୍ବ ପଣସ

ଖାଇଥାଉ ଆମେ ହୋଇ ହରଷ।

ଭାଦ୍ରବ ମାସରେ କୃଷ୍ଣ ଜନମ

ପାଳନ୍ତି ଜଗତେ ଜପିଣ ନାମ।

ଭଜୁଥାନ୍ତି ସର୍ବେ କରି କୀର୍ତ୍ତନ

କିଏ ଆଣି ଦେଵ ମୋ ପିଲାଦିନ।

ଗାଆଁ ମାଟି ଆଉ ଗାଆଁ ମନ୍ଦିର

ବିଲ ବାଡ଼ି କ୍ଷେତ ସହ ପ୍ରାନ୍ତର।

ସବୁ ହୋଇଗଲା ମୋ ପାଇଁ ଦୂର

ଆପଣେଇ ପାରେନି ଏ ସହର।

କିଏ ଛଡାଇ ନେଲା ଧୂଳିଘର

କରିଣ ଦେଲା ମୋତେ ସାତପର।

ଧୂପ ଦୀପ ସାଥେ ଦେଇ ଚନ୍ଦନ

ବିଭୁ ପାଦେ କରେ ମୁଁ ନିବେଦନ।

ଲୋଡାନାହିଁ ମୋର ସୁଖ ସପନ

ଆଣିଦିଅ ପ୍ରଭୁ ମୋ ପିଲାଦିନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children