STORYMIRROR

Sasmita Mohapatra

Abstract

3  

Sasmita Mohapatra

Abstract

କହୁ ଆମେ ସ୍ବାଧୀନ

କହୁ ଆମେ ସ୍ବାଧୀନ

2 mins
24


ଭାରତ ଗାଉଛି ଅଶ୍ରୁଳ କାହାଣୀ

  ବର୍ଷ ବର୍ଷ ଗଲା ବିତି,

"ସ୍ବାଧୀନ" ଏ "ଦେଶ" ଆହ୍ୱାନ ଦେଉଛି

  ଆସୁଛି "ଅଗଷ୍ଟ" ସାଥୀ

  ଦିବସ ଆମ "ପନ୍ଦର"

"ପରାଧୀନତା"ର ବେଡି ଫିଟିଅଛି

  ଥମିଛି କି ଅତ୍ୟାଚାର। ?(୧)


ଅଣହିସାବ ସେ "ଶହୀଦ" ମାନଙ୍କ

  ହାଡମାଂସ ପୋତା ମାଟି,

ସେ ମାଟିରେ "ନେତା" ସ୍ବାର୍ଥର ଆସନେ

  ପକାଇ ଟଙ୍କାର ଗାଦି

  ଖଦି ପୋଷାକର ଖେଳ,

ଗାନ୍ଧୀ,ଗୋପବନ୍ଧୁ ଭାବି ତ ନିଜକୁ

  ପିନ୍ଧିଛନ୍ତି ମାୟାଖୋଳ ।।(୨)


ଏ ଦେଶର "ନର" ବାର ଦୁଆରରେ

  ଦାଦନ ଖଟନ୍ତି ଯାଇ,

ନୀରିହ ଶିଶୁଟି କୋମଳ ହାତରେ

  ସିମେଣ୍ଟ ଗୋଳାଏ କାହିଁ,

  ଦୁର୍ନୀତିର ହୁଏ ଜୟ

ତଥାପି କହୁଛୁ ଗାରିମା ବଢେଇ

  ମୁକ୍ତ ଆମେ "ଭାରତୀୟ" ।।(୩)


ଆଜି ଆମ "ଦେଶ"ର ଐତିହ୍ୟ ରାଜି

   ପ୍ରଥା ଏବଂ ପରମ୍ପରା,

ଆଧୁନିକତାର ଢାଞ୍ଚାରେ ପଡିଛି

  ସବୁ ହେଲା ଅପସୋରା,

  ଗର୍ବରେ ଫୁଲାଇ ଛାତି ,

କହୁଛୁ "ଭାରତ" ଶ୍ରେଷ୍ଠ ଦେଶ ଆମ

  ଆଦର୍ଶ ତା ରୀତିନୀତି।।(୪)


କେଉଁଠି ସଢୁଛି "ମାଆ"ଟିଏ ପରା

   ତିରଷ୍କାରେ ଦୁଃଖେ ପଡି,

କେଉଁଠି ଭିଜୁଛି ରକ୍ତର ଲୁଗା

   ଭିଜାଉଛି "ଅତ୍ୟାଚାରୀ"

  " ବୃଦ୍ଧ"ର ଥରିବା ହାତ

ଅଣଦେଖା ହୋଇ ରାଜରାସ୍ତାପରେ

  ମାଗୁଛି ଅଇଁଠା ଭାତ।।(୫)


ଧର୍ମର ନାମରେ "ମାତା"ର ବୁକୁରେ

  ଚଳାଉଛୁ ପରା ଛୁରୀ,

ଏକତାରେ ପୁଣି ଉଈ ଲାଗିଲାଣି

  ଧପ୍ପାବାଜ୍ ହୁଏ ଭାରି,

  ଚାଷୀ ପିଉଛି ଜହର,

କୃଷିପ୍ରଧାନର "ଦେଶ" ଆମ ବୋଲି

  କହୁଅଛୁ ବାରମ୍ବାର ।।(୬)


ରୋଗରେ ଦିପାନ ଔଷଧ ନ ପାଇ

  ବୃଦ୍ଧାଶ୍ରମେ ମରେ "ବାପା"

  କୋଟି ଟଙ୍କା ଉଡେ ରାଜନୀତି ନାଁ" ରେ

  ଫାଇଲିରେ ହୁଏ ଲେଖା,

  କିଣା ହୁଏ ଏଠି ଭୋଟ୍,

ରାତି ରାତି ଏଠି ଓଲଟ ପଲଟ

   କରାମତି କରେ ନୋଟ୍।।(୭)


କାହାର ପଲାଉ ,ମାଂସ ବିରୀୟାନି

  କାହାର ଜଳେନା ଚୂଲି,

ପାର୍ଟ୍ଟି,ପଲଟିସ୍ ,କଳାବଜାରିରେ

  ବିବେକ ଗଲାଣି ଜଳି

  ବନ୍ଧୁକ କହୁଛି କଥା,

ଫିରଙ୍ଗି ଶାସନ ଯାଇଛି ଏ ଦେଶୁ

   ପୁଣି ସେ କାଟୁଛି ମଥା ।।(୮)


କଫନ୍ ଉପରେ "ତ୍ରିରଙ୍ଗା" କାନ୍ଦୁଛି

   ଫରଫର୍ ଉଡେ ନାହିଁ,

"ବୀରପନ୍ତ୍ରୀ"ଙ୍କର ସିନ୍ଦୂରର ରଙ୍ଗ

   ଛଡ଼ାଇ ନେଇଛି କେହି,

  ପତାକା କହୁଛି ଚାହିଁ,

"ସ୍ବାଧୀନ" ଦିବସେ କେମିତି ଉଡିବି

  ନିଅଣ୍ଟିଆ ପଡେ ମୁହିଁ ।।(୯)


ଘରେ ସିନା ନାହିଁ ତେଲ ,ଲୁଣ, ଡାଲି

   ମଦୁଆଙ୍କ ଚାଲେ ଭୋଜି

ପ୍ରିୟାପ୍ରୀତି ଆଉ ବନ୍ଧୁଗହଣରେ

  ସଂସ୍କାର ଗଲାଣି ହଜି,

  ଦୁର୍ଦ୍ଦିନ ଆସିଛି ଛାଇ

ଶାସନ,ଶୋଷଣ, ବିପ୍ଲବ, ଲୁଣ୍ଠନ

  ବସିଛି କାୟା ମେଲାଇ ।।(୧୦)


"ଭାରତ" ଜନନୀ ଆଜି ବି କାନ୍ଦୁଛି

   କାନ୍ଦୁଥିଲା ବି ସେଦିନ

ହିଂସା,ହତ୍ୟା ଆଉ ସନ୍ତ୍ରାସବାଦର

  ଲିଭିନି ଆଜିର ଦିନ

  ମୋତେ ମୁକୁଳାଇ ଦିଅ,

 ଆଉ କେତେ ଦିନ ରକ୍ତ ଛିଟା ହୋଲି

   ଖେଳିବ ଟିକିଏ କୁହ ?(୧୧)


ସତୀ"ଟିଏ ସିନା ମରୁଥିଲା ଆଗେ

  "ପରାଧୀନତା"ର ତଳେ

ତୁମେ ତ ମାରୁଛ" ଭୃଣ"କୁ ନିର୍ମ୍ମମେ

  ସ୍ବାଧୀନ ଭାରତ କୋଳେ

   ଶରମ ଲାଗୁ କି ନାହିଁ ?

ପ୍ରତି ବର୍ଷ ପାଳ ସ୍ବତନ୍ତ୍ରତା ଦିନ

  ସ୍ବାଧୀନ ଆମେ ତ କହି

  ସ୍ବାଧୀନ ଆମେତ କହି (୧୨)



Rate this content
Log in

Similar oriya poem from Abstract