କହରେ ମଣିଷ ଭାଇ
କହରେ ମଣିଷ ଭାଇ
କହରେ ମଣିଷ ଭାଇ
ବିଶ୍ୱ ସୃଷ୍ଟିର ଶ୍ରେଷ୍ଠ ଜୀବ ତୁ ବୋଲାଉ କେଉଁଥିପାଇଁ |
କ୍ଷିତି ଥିଲା ମନୋହର
ଵିଧ୍ୱସ୍ତ ବିକୃତ ଧ୍ୱଂସ ଅବଲୁପ୍ତ କରିଦେଲୁ ନାରଖାର |
ଦୟା ମାୟା ତୋଠି ନାହିଁ
ଇତର ଜୀବଙ୍କୁ ବଧ କରିବାକୁ ଖେଳ ଘର ମଣୁ ତୁହି |
ମଣିଷ ପଣିଆ କାହିଁ
ପିଶାଚର ଭୂତ ଚଢ଼ିଛି ତୋ ମାଥ ସବୁତ ଗଲୁଣି ଖାଇ |
ପେଟ ଚାଖଣ୍ଡକ ପାଇଁ
ଦିନ ରାତି ଖଟି ହୋଇ ଛାଟି ପିଟି ଦୁନିଆଟା ଅଣ୍ଟୁନାହିଁ |
ଯେତେ ଛନ୍ତି ପଶୁପକ୍ଷୀ
ପେଟ ପାଇଁ କିଏ ଚାକିରୀ କରିଛି କିଏ ଭିକ ମାଗୁଅଛି |
ଏଡ଼େ ସ୍ୱାର୍ଥପର ତୁହି
ସଭିଙ୍କ ରକତ ଶୋଷି ଶୋଷି କ୍ଲାନ୍ତ ଜମା ଶୋଷ ମେଣ୍ଟୁନାହିଁ |
ଜଘନ୍ୟ କୃତଘ୍ନ ତୁହି
ତୋ ଘରେ ପାଳିତ ଗୋରୁ ଜରାଗ୍ରସ୍ତ କଂସେଇକୁ ବିକୁ ନେଇ |
ଯିଏ କରେ ଉପକାର
ପ୍ରତିଉପକାର କରିବାତ ଦୂର କାଟି ଦେଉ ତାର ଚେର |
ଶାକାହାରୀ ଜୀବ ହୋଇ
ମାଂସାହାରୀ ହୋଇ ଶବ ଯାଉ ଖାଇ ଦାନଵ ପ୍ରକୃତି ବହି |
ସର୍ବ ଘଟେ ହରି ଥାଇ
ସାକ୍ଷୀ ରୂପେ ରହି ସବୁ ଦେଖୁଥାଇ ତାକୁ ତ ଚିହ୍ନିଲୁ ନାହିଁ |
ଜୀବନଯାକର ଶ୍ରମ
କଲେ ମୂଲ୍ୟାଙ୍କନ ମୁଠାଏ ପାଉଁଶ ତଥାପି ଯାଉନି ଭ୍ରମ |
ଲୋଭର ତ ଅନ୍ତ ନାହିଁ
ଧନ ପଛେ ଧାଇଁ ସଭିଙ୍କୁ ଭଣ୍ଡାଇ କିସ ନେବୁ ମୁଣ୍ଡେ ବୋହି |
ମାୟାରେ ନହୁଅ ବାୟା
ଜୀବଠାରେ ଦୟା ମଣିଷପଣିଆ ଧରମରେ ଚଳା ନାଆ |