ତୁମେ ଅଟ ସତ୍ୟ
ତୁମେ ଅଟ ସତ୍ୟ
ତୁମେ ଅଟ ସତ୍ୟ ତୁମେ ହିଁ ସୁନ୍ଦର
ତୁମେ ପରା ସ୍ଵୟଂ ଶିବ
ତୁମ ବିହୁନରେ ଜୀବନ ବଞ୍ଚେନା
ତୁମ ପରି ତୁମେ ହେବ।
ବିଶାଳ ଧରିତ୍ରୀ ସୁନୀଳ ଗଗନ
ଚନ୍ଦ୍ର ସୂର୍ଯ୍ୟ ଗ୍ରହ ତାରା
କେ କଳି ପାରିବ ତୁମରି ସୃଷ୍ଟିକୁ
ତୁମ ହିଁ ସେସବୁ ଧାରା।
ବିଶ୍ୱାସରେ ଆସ ପ୍ରତିଟି କ୍ଷେତ୍ରରେ
ପରଖୁଛ ପ୍ରତି କ୍ଷଣ
ତୁମେ ଯେ ଅତୀତ ତୁମେ ବର୍ତ୍ତମାନ
ଭବିଷ୍ୟତ ର କାରଣ।
ତୁମେ ରହିଅଛ ଇନ୍ଦ୍ରିୟ ଭୋଗରେ
ଲେପି ମାୟାର ଅଞ୍ଜନ
ସେ ମାୟାକୁ କେହି କାଟି ପାରନ୍ତିନି
ଦେଖୁଛ ଚକାନୟନ।
ସରଳ ଯେତିକି ଜଟିଳ ସେତିକି
ବିଶ୍ୱାସରେ ଆସ ନିତି
ତୁମ ସୃଷ୍ଟି ତୁମେ ସ୍ଵୟଂ ପାଳୁଅଛ
ବିତି ଯାଏ ଦିବା ରାତି।
ତୁମ ଠାରେ ମୋର ବିଶ୍ୱାସ ରହିବ
ଯାବତ ଜୀବନ ନାଥ
ଘେନିବ ମୋହର ଏତିକି ପ୍ରାର୍ଥନା
ବିଶ୍ୱପିତା ଜଗନ୍ନାଥ।
