ମରୀଚିକା
ମରୀଚିକା
ମନେହୁଏ ଜୀବନଟା ଏକ ମରୀଚିକା
ସରି ଯାଏ ଦିନ ମାସ ବର୍ଷ ଲାଗେ ଫିକା।
ପୁତ୍ର କନ୍ୟା ମୋହ ମାୟା କେ ନୁହେଁ କାହାରି
ଧନ ଯଉବନ ଗର୍ବ ନ ଥାଏ ସବୁରି।
ଜ୍ଞାନ ମାନ ଯଶ ଯାହା ନୁହେଁ ଚିର ସ୍ଥାୟୀ
ମରୀଚିକା ପଛେ ଧାଇଁ ଧରୁଅଛୁ ଛାଇ।
ବନ୍ୟ ପଥ ଭୂଳାଉଛି ସବୁ ପଥ ଏକ
ଘୁରି ଘୁରି ବ୍ୟର୍ଥ ଯାଏ ଆହାକି ଅଳିକ।
ମରୁ ପଥେ ଜଳ ପାଇଁ ବଢ଼େ ଆତୁରତା
ଏଠି ସେଠି ଧାଇଁ ଧାଇଁ କେଡ଼େ ବ୍ୟାକୁଳତା।
ମରୁ ବାଲି ଖୋଜି ଖୋଜି ପାଉ ମରୀଚିକା
ଜୀବନ ମରୁରେ ଆମେ ସର୍ବେ ଏକା ଏକା।
ମରୀଚିକା ଏଡି ହେବ ନିଜର ଉଦ୍ୟମେ
ବଞ୍ଚିବା ଯେ ପର ପାଇଁ ଠାକୁରଙ୍କ ନାମେ
ତାଙ୍କରି କରୁଣା ହେଲେ ହଟିବ ବନ୍ଧନ
ମାୟା ମରୀଚିକା ଆପେ ହୋଇଯିବ ଛିନ୍ନ।
ଜୀବନ ହେଉଛି ଅମୃତର ମହା ସିନ୍ଦୁ
ଭେଟିବାକୁ ହେବ କ୍ଷଣେ ବିନ୍ଦୁ ବିନ୍ଦୁ।
ବିଧି ଦେଇଛନ୍ତି ସଂଜମର ଶକ୍ତି ବିନିଯୋଗ କର ନିତ୍ୟ ଦିବା ରାତି।
ମରୀଚିକା ଆଉ ନ ଥିବ ପଥରେ
ଅମୃତ ସନ୍ତାନ ଚାଲରେ ଚାଲରେ।
