ସାଧବବୋହୂ
ସାଧବବୋହୂ
ଲାଲ ଟୁକୁ ଟୁକୁ ସାଧବବୋହୂ
ବରଷା ଆସିଲେ ତୁ ଦେଖାଦେଉ
ଅଳପ ହସି ଅଳପ ଖୁସିରେ ଭିଜୁ ଥାଉ
ଝଡି ବରସାକୁ ନାହିଁ ତୋ ଡର
ସାଧବ ତୋହର କୋଉଠି ତା ଘର
ନାଲି ଟୁକୁ ଟୁକୁ ପାଦେ ତୋହର
ଦୁଇପଟେ ଦୁଇ ଅଳତା ଧାରର ଗାର
ବରଷା ଆସିଲେ ଆସେ ବେଭାର
ସଜ ହୋଇ ଯିବୁ ତୁହି ତୋ ଶାଶୁଘର
ମୈତ୍ରୀ ପ୍ରୀତି ଶାନ୍ତି ଶକ୍ତି ତୋର ଆଚାର
ତତେ ଦେଖି ପେଟ ପୁରି ଉଠେ ମେଘର
ଚାଷୀଭାଇ ଦେଖି ଦେଇ ତତେ ଜାଣେ
ରିମ ଝିମ ମେଘ ବରଷିବ ଏହି କ୍ଷଣେ
ବର୍ଷାରେ ଭିଜି ଭିଜି ଗାଁ ପିଲାମାନେ
କାଗଜ ଡ଼ଙ୍ଗା ଭସେଇଲେ ତୁ ଅଭିମାନେ
ଲୁଚିଯାଉ କେଣେ କୋଉ କୋଣେ
ନପାଇ ତତେ ଖୋଜି ଏଣେ ତେଣେ
ଚାତକୀନୀ ବରଷାରାଣୀ ଫଗୁଣେ
ମେଘ ହୋଇ ବରଷି ଯାଏ ଶ୍ରାବଣେ
ମଖମଲି ଦେହେ ନାଲି କୋର୍ଟ ପିନ୍ଧି
ଲୁଚିଯାଉ ବିଜୁଳି ଖୋଜେ ଅନ୍ଧି ସନ୍ଧି
ଦେଖିଦେଲେ ତତେ ଲାଗେ ଆସିଲା ମିତ
ବରଷା ବାସିବ ଚନ୍ଦନ ମେଘ କସ୍ତୁରୀ ସତ
ସାଧବ ବୋହୂ ଗାଏ ଗଜଲ ପ୍ରତି ପଦପାତେ
ଏଡିକି ନହୁଲି ଛଇଳୀ ବାଳା ତୁ ସତେ
