କାନ୍ଦୁଚି ମୋ ଗାଁ ଝର
କାନ୍ଦୁଚି ମୋ ଗାଁ ଝର
ବହୁ ଦିନୁ ଝରି ଝରି ମୁଁ ଆସୁଛି
ଶରୀର ହେଲାଣି କ୍ଷୀଣ
କ୍ଲାନ୍ତ ନୟନେ ଶାନ୍ତ ଶୟନେ
ଦେଖୁଛି ଖାଲି ସପନ l
ଦୁଇ ଧାର ଯାହା ଲୁହ ମୋ ଝରୁଛି
ସେତିକି ସାଇତି ବୁକେ
ଝରରୁ ନିର୍ଝର ନ ହବାକୁ ନୀତି
ବଡ ଠାକୁରକୁ ଡାକେ l
ଆଷାଢ଼ ଆସିଲେ ବାଦଲ ଗର୍ଜିଲେ
ଉନ୍ମାଦନା ଯାଏ ଖେଳି
ଇଚ୍ଛା ହୁଏ ସାରା ବସୁଧାରୁ ଜଳ
ନିଅନ୍ତିକି କୁଣ୍ଡେ ଗିଳି l
ଉପରେ ଥାଇକି ପାହାଡଟି କହେ
କାଇଁ କରୁ ଖେଳଘର
ଅସରାଏ ମେଘ ତୋ ପାଇଁ ଯଥେଷ୍ଟ
ହେଇଯିବୁ ସରବର l
ଚରମ ରାଗରେ ନରମ ଗଳାରେ
ପାହାଡକୁ କହେ ଚାଁହିଁ
ଦେଖିବୁ ଆଖିରେ କୋଦାଳ କୋଡ଼ିରେ
ଜୀବନ ପାଇବି ମୁହିଁ l
ନ ଥିଲା କେନାଲ ନ ଥିଲା ନଈ
ଥିଲା ମୋ ବୁକୁରେ ଜଳ
ଶୀତରେ ଉଷୁମ ବର୍ଷାରେ ମଧ୍ୟମ
ଗ୍ରୀଷ୍ମରେ ହିମ ଶୀତଳ l
କେତେ ରଥି କେତେ ମହାରଥୀ ଏଇ
କୁଣ୍ଡେ କରିଛନ୍ତି ସ୍ନାନ
କେତେ ତୃଷାତୁର ପ୍ରାଣୀ ଉଦ୍ଭିଦ ଆବର
ସବୁର ରଖିଛି ମାନ l
ହେଲେ ମୋର ମାନ ରଖିବାକୁ ଆଜି
କାପାଖେ ନାହିଁ ସମୟ
ଦେଖିବୁ ଦିନେ ତୁ ଉଠିବି ନିଶ୍ଚେ ମୁଁ
ଉଠିବାଟା ମୋର ଥୟ l
