ଦ୍ଵନ୍ଦ
ଦ୍ଵନ୍ଦ
କିଏ ତୁମେ ଗୋପନ ନାୟିକା ,
କଣ ତୁମ ପରିଚୟ ?
ନିସ୍ତେଜ ଶରୀର, ମୂର୍ଛିତ ଆତ୍ମାକୁ ମଧ୍ୟ
ଦେଲ ଦୋହଲାଇ
ଚୁପଚାପ ଆସି, ପୋଛିଦେଇ ଉତ୍ତପ୍ତ ଲୁହମାନ
ହସିବାକୁ ବାଧ୍ୟ କର କାହିଁକି ?
ସ୍ବପ୍ନପରି ଅକସ୍ମାତ ପଶି ଆସି ମୋ ଜୀବନେ
ବିଚଳିତ କର ଏତେ କାହିଁକି ?
ସୃଷ୍ଟିକର୍ତ୍ତାଙ୍କ ସ୍ବତନ୍ତ୍ର ପରୀଟେ କି ତୁମେ ?
ଆସିଅଛ ଆଙ୍କିବାକୁ ବ୍ୟଗ୍ରତାର ଭୂଗୋଳ
ମୋ ନିର୍ଜନ ମରୁପୃଷ୍ଟରେ
ଦେଖାଉଛ ସମ୍ଭାବନାର ବନ୍ୟା
ନିର୍ଝର ଏ ଶୁଖିଲା ନଈରେ
କେତେ ଦିନ ରହିବ କି ଚାଲିଯିବ ଜାଣିନି
ଏ ସବୁ ମୋ ସମୀକରଣର ବହୁତ ଉର୍ଦ୍ଧରେ
ତଥାପି ଶୁନ୍ୟ ଦିଗବଳୟର ସେପାରିରୁ
ଉଙ୍କିମାରେ ଅହେତୁକ ପ୍ରଶ୍ନ
ଏ କି ନାମହୀନ ପ୍ରେମ ?
ଏ କି ଅନ୍ତହୀନ ଦ୍ଵନ୍ଦ ?

